ମୁମ୍ବାଇ ୨୮/୦୬: ଅସ୍କାର ଏକାଡେମୀର ସଦସ୍ୟ ହେବେ ଦେଶର  ଅନ୍ୟତମ ଲୋକପ୍ରିୟ ଅଭିନେତା କମଲ ହାସନ ଓ  ଆୟୁଷ୍ମାନ ଖୁରାନା। ଅସ୍କାର ଏକାଡେମୀ ଏହି ଦୁଇ  ଅଭିନେତାଙ୍କୁ ସଦସ୍ୟତା ପାଇଁ ନିମନ୍ତ୍ରଣ ପଠାଇଛି ।  ଉଭୟଙ୍କୁ ଏକାଡେମୀ ନିଜର କଳାକାର ଶାଖାରେ  ସଦସ୍ୟତା ପାଇଁ ନିମନ୍ତ୍ରଣ ପଠାଇଛି । ସେହିପରି,  ଫିଲ୍ମ ନିର୍ମାତା ପାୟଲ କପାଡ଼ିଆଙ୍କୁ ଲେଖକ ଶାଖାରେ  ସଦସ୍ୟତା ପାଇଁ ନିମନ୍ତ୍ରଣ ଦେଇଛି ଏକାଡେମୀ । 

ଏହା ପୂର୍ବରୁ ଅନୁରାଗ କଶ୍ୟପ, ଅନୁପମ ଖେର,  ବିଦ୍ୟା ବାଲନ, ଜୋୟା ଅଖତର, ତାମିଲ ଅଭିନେତା  ସୂର୍ଯ୍ୟାଙ୍କ ଭଳି ସେଲିବ୍ରିଟିଙ୍କୁ ଏକାଡେମୀର ସଦସ୍ୟତା  ନିମନ୍ତେ ନିମନ୍ତ୍ରଣ ମିଳିଥିଲା । ସିନେମା ଜଗତରେ ଏହି  ସଦସ୍ୟତାକୁ ଖୁବ୍‌ ସମ୍ମାନଜନକ ଭାବେ ବିବେଚନା କରାଯାଏ । ଅସ୍କାର ପୁରସ୍କାର ବିଶ୍ୱର ସବୁଠୁ ପ୍ରତିଷ୍ଠିତ  ସିନେମା ସମ୍ମାନ ଭାବେ ବିବେଚିତ । ଏକାଡେମୀ ଅଫ୍‌  ମୋସନ ପିକ୍‌ଚର ଆର୍ଟସ୍‌ ଆଣ୍ଡ ସାଇନ୍ସେଜ୍‌’ ଏହି  ସମ୍ମାନ ପ୍ରଦାନ କରେ । ଏହି ପୁରସ୍କାର ଏକାଡେମୀ  ଆୱାର୍ଡ ନାମରେ ସର୍ବବିଦିତ । ଏଥିରେ ଫିଲ୍ମ ନିର୍ମାଣ  ଜଗତର ଭିନ୍ନ ଭିନ୍ନ ମୋଟ୍‌ ୧୯ଟି ଶାଖା ଅଛି । ଅଭିନୟ,  ନିର୍ଦ୍ଦେଶନା, ସଙ୍ଗୀତ ଓ ସିନେମାଟୋଗ୍ରାଫି ଭଳି  ବିଭାଗରେ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଏ ।  ବିଶ୍ୱରେ ସିନେମା ସହ ସଂଶ୍ଳିଷ୍ଟ ଲୋକ ଏକାଡେମୀର  ଅଲଗା ଅଲଗା ବ୍ରାଞ୍ଚ୍‌ର ସଦସ୍ୟ ଅଛନ୍ତି ଏବଂ ନିଜ  ବ୍ରାଞ୍ଚ୍‌ରେ ଅସ୍କାର ନୋମିନେସନ୍‌ ପାଇଁ ଭୋଟ୍‌ କରନ୍ତି ।  ଏହା ଜରିଆରେ ବିଭିନ୍ନ ବିଭାଗ ପାଇଁ ବିଜେତାଙ୍କୁ  ଚୟନ କରାଯାଏ । ଏହି ପ୍ରକ୍ରିୟା ଯୋଗୁ ଅସ୍କାରକୁ  ଅନ୍ୟ ଫିଲ୍ମ ପୁରସ୍କାର ତୁଳନାରେ ଅଧିକ ସମ୍ମାନ  ପ୍ରଦାନ କରାଯାଏ । 

ଏକାଡେମୀର ସଦସ୍ୟଙ୍କ ମୁଖ୍ୟ କାମ ହେଉଛି  ସେମାନେ ନିଜ ବ୍ରାଞ୍ଚ୍‌ରେ ଅସ୍କାର ନୋମିନେସନ୍‌  ପାଇଥିବା ଫିଲ୍ମ ପାଇଁ ଭୋଟ୍‌ କରନ୍ତି ଏବଂ ଚୂଡ଼ାନ୍ତ  ବିଜେତା ଚୟନ କରନ୍ତି । ଅର୍ଥାତ୍‌ ଏ ବର୍ଷ ଅଭିନେତା  ଶାଖାରେ ଏକାଡେମୀର ସଦସ୍ୟତା ପାଇଥିବା କମଲ  ହାସନ ଓ ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା  ବିଭାଗରେ ଅସ୍କାର ପୁରସ୍କାର ପାଇଁ ନୋମିନେଟ୍‌  ହୋଇଥିବା ଅଭିନେତାଙ୍କ ପାଇଁ ଭୋଟ୍‌ କରିବେ ।  ଅନ୍ୟକୁ ଜଜ୍‌ କରିବା ପାଇଁ ସିନେମାରେ ନିଜ ନିଜ  କ୍ଷେତ୍ରରେ ପର୍ଯ୍ୟାପ୍ତ ଅନୁଭବ ଓ ଜ୍ଞାନ ଥିବା ବ୍ୟକ୍ତିଙ୍କୁ  ହିଁ ସଦସ୍ୟତା ପାଇଁ ଏକାଡେମୀ ଚୟନ କରେ ।