କେନ୍ଦ୍ରାପଡ଼ା,୩୧/୦୫: କେନ୍ଦ୍ରାପଡ଼ାର ‘ଜରି  ମାଉସୀ’ ଭାବେ ପରିଚିତ କମଳା ମହାରଣା ଅସୁସ୍ଥ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସିତ ହେଉଛନ୍ତି । କମଳାଙ୍କ ଘର କେନ୍ଦ୍ରାପଡ଼ା  ଜିଲ୍ଲା ସଦର ବ୍ଲକ୍‌ ଅଧୀନ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମରେ । ଗତ ଏପ୍ରିଲ ୨୮ ତାରିଖରେ  ଅସାବଧାନତା ହେତୁ ଘରେ ପଡ଼ିଯିବା ପରେ  କମଳାଙ୍କ ବାମ ଜଂଘ ଭାଙ୍ଗି  ଯାଇଥିବା ପରିବାର ଲୋକେ କହିଛନ୍ତି । ତେବେ ବର୍ତ୍ତମାନ କମଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର  ଥିବା ଜଣାପଡ଼ିଛି । ବ୍ୟବହୃତ  ପଲିଥିନ୍‌ରୁ ଘରକରଣା ସାମଗ୍ରୀ  ତିଆରି କରି ଚର୍ଚ୍ଚାରେ ଥିଲେ  ୬୬ ବର୍ଷୀୟା କମଳା ମହାରଣା ।  ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମଳାଙ୍କୁ  ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ।  ନିକଟରେ କମଳା ‘ଅପରେସନ ସିନ୍ଦୂର'ରେ ଭାରତର  ସଫଳତା ପରେ ଖୁସିରେ ସ୍ଥଳସେନା, ବାୟୁସେନା  ଏବଂ ନୌସେନା ମୁଖ୍ୟଙ୍କୁ ଉପହାର ପଠାଇଥିଲେ ।  ନିଜ ହାତତିଆରି ଟୋପି ଓ ଚିଠି ପଠାଇ  ଶୁଭେଚ୍ଛା ଜଣାଇଥିଲେ ।  

୨୦୨୩ ମସିହା ଫେବ୍ରୁୟାରୀ ୨୬  ତାରିଖରେ ତାଙ୍କର ୯୮ତମ ମନ୍‌ କୀ  ବାତ୍‌ର ସଂସ୍କରଣରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି କମଳାଙ୍କ ପ୍ରଶଂସା  କରିଥିଲେ । ପରେ ଜୁନ୍‌ ମାସରେ  ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ାକୁ ନିର୍ବାଚନ  ବେଳେ ଆସିବା ସମୟରେ କମଳାଙ୍କୁ ଆଣ୍ଠେଇ ନମସ୍କାର କରିଥିଲେ । ପରେ ପ୍ରଧାନମନ୍ତ୍ରୀ କମଳାଙ୍କୁ  ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦିଲ୍ଲୀ ଡାକିଥିଲେ ।  କମଳା ଅଦରକାରୀ ବସ୍ତୁରୁ ସୁନ୍ଦର ଘରୋଇ  ଉପକରଣ ତିଆରି କରି ଚର୍ଚ୍ଚାରେ ଥିଲେ।