ଫୁଲବାଣୀ,୨୮/୭: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ପରେ କନ୍ଧମାଳର ନୂତନ ଜିଲ୍ଲାପାଳ ଭାବେ ବେଦଭୂଷଣଙ୍କୁ ନିଯୁକ୍ତି ମିଳିଛି । ସୋମବାର ସେ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ ଯୋଜନାକୁ ତ୍ୱରାନ୍ୱିତ କରାଯିବ ବୋଲି ନୂତନ ଜିଲ୍ଲାପାଳ କହିଛନ୍ତି । ଏଥିସହ ଗମନାଗମନ, ମୋବାଇଲ ନେଟୱାର୍କ, ପର୍ଯ୍ୟଟନ ଓ ବିକଳ୍ପ କୃଷି ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ ରୋଜଗାର ବୃଦ୍ଧି ପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ଜିଲ୍ଲାର ଲୋକେ ପରିଶ୍ରମୀ, ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କଲେ କନ୍ଧମାଳ ଏକ ବିକଶିତ ଜିଲ୍ଲାରେ ପରିଣତ ହୋଇ ପାରିବ ବୋଲି ଆଶା ପ୍ରକଟ କରିଛନ୍ତି ନୂତନ ଜିଲ୍ଲାପାଳ ।
ସୂଚନାଯୋଗ୍ୟ, ବେଦଭୂଷଣ ଏହା ପୂର୍ବରୁ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେବା ପରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ସମେତ ବିଭାଗୀୟ ଅଧିକାରୀ, ଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।