ନୂଆଦିଲ୍ଲୀ, ୨୦।୩: ରାଜନୀତି ମୈଦାନରେ ଏବେ ବାକ୍ଯୁଦ୍ଧ ତେଜିବାରେ ଲାଗିଛି । ମଣ୍ଡି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ବିହାରର ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କ ମଧ୍ୟରେ କଥା କଟାକଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପପୁ ଯାଦବଙ୍କ 'ଚଖନା-ଚଟଣି' ବୟାନକୁ ନେଇ କଙ୍ଗନା ରଣାୱତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହାକୁ ମହିଳା ବିରୋଧୀ ମାନସିକତା ବୋଲି ଦର୍ଶାଇଛନ୍ତି । ଗତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବାହାରି ପପୁ ଯାଦବ କଙ୍ଗନାଙ୍କୁ କଟାକ୍ଷ କରିଥିଲେ । ସେ କହିଥିଲେ, "ଇଗ୍ନୋର କରନ୍ତୁ ନା... କଙ୍ଗନା-ଚଖନା... ଏମାନେ ତ ସବୁ ଚଟଣି ସଦୃଶ ।" ଏହି ଶବ୍ଦ ପ୍ରୟୋଗକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।
କଙ୍ଗନାଙ୍କ ପାଲଟା ଜବାବ:
ପପୁ ଯାଦବଙ୍କ ଏହି ଅଶୋଭନୀୟ ମନ୍ତବ୍ୟ ପରେ କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ କ୍ରୋଧ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ମୁଁ କେବଳ ଏତିକି କହିଥିଲି ଯେ ରାହୁଲ ଗାନ୍ଧୀଙ୍କ ଆଖି ମାରିବା ବା ଜବରଦସ୍ତି କୋଳେଇ ନେବା ଭଳି ବ୍ୟବହାର ମହିଳାମାନଙ୍କ ପାଇଁ ଅସହଜ । କିନ୍ତୁ, ଏହାର ପ୍ରତିବଦଳରେ ବିରୋଧୀ ଦଳ ମୋତେ 'ଚଖନା' ଓ 'ଚଟଣି' ଭଳି ଗାଳି ଦେଉଛନ୍ତି ।" କଙ୍ଗନା କହିଛନ୍ତି ଯେ ସେ ଜଣେ ସଫଳ ଅଭିନେତ୍ରୀ, ଲେଖିକା ଏବଂ ଚଳଚ୍ଚିତ୍ର ନିର୍ମାତା, କିନ୍ତୁ ରାଜନୀତିରେ ତାଙ୍କୁ କେବଳ ଏକ 'ଆଇଟମ୍' ଭାବେ ଦେଖାଯାଉଛି । ବିରୋଧୀ ଦଳ ତାଙ୍କୁ 'ମନୋରୋଗୀ' ବୋଲି କହିବା ସହ ସମ୍ମାନହାନି କରୁଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ମହିଳା ବିରୋଧୀ ମାନସିକତାକୁ ଚ୍ୟାଲେଞ୍ଜ କରିବା ପାଇଁ ଏବେ ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ... ବକଖାଲି-ଦାନ୍ତନରୁ ଦୁଇଟି ବିଶାଳ ଡ୍ରୋନ୍ ଜବତ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ
ବିବାଦର ମୂଳ କାରଣ:
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କଙ୍ଗନା ରାହୁଲ ଗାନ୍ଧୀଙ୍କୁ 'ଟପୋରୀ' ବୋଲି କହି ସମ୍ବୋଧନ କରିଥିଲେ । ସଂସଦରେ ରାହୁଲଙ୍କ ବ୍ୟବହାରକୁ ସେ ସମାଲୋଚନା କରି କହିଥିଲେ ଯେ, ରାହୁଲଙ୍କ ପାଖରୁ ଶାଳୀନତା ଆଶା କରାଯାଇପାରିବ ନାହିଁ ଏବଂ ସେ ନିଜ ଭଉଣୀ ପ୍ରିୟଙ୍କାଙ୍କଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । କଙ୍ଗନାଙ୍କ ଏହି ବୟାନ ପରେ ବିରୋଧୀ ଶିବିର ଉତ୍ତ୍ୟକ୍ତ ହୋଇପଡ଼ିଥିଲା ।