ନୂଆଦିଲ୍ଲୀ ୧୫/୦୭: ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା କଙ୍ଗନା ରଣାୱତ୍‌ ଏକ ବୟାନରେ କହିଛନ୍ତି, ରାଜନୀତି ଏକ ମହଙ୍ଗା ସଉକ । ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ବୟାନକୁ ନେଇ ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଛି ଯେ କଙ୍ଗନା ନିଜ ସଂସଦୀୟ କ୍ଷେତ୍ର ମଣ୍ଡୀର ଜନତାଙ୍କ ସେବାରୁ ପଛଘୁଞ୍ଚା ଦେଉଛନ୍ତି । 

ନିକଟରେ ମଣ୍ଡୀରେ ସଂଘଟିତ ବିପର୍ଯ୍ୟୟ ସମୟରେ ସେ ଜନତାଙ୍କଠୁ ଦୂରରେ ରହିବା ଯୋଗୁ ଖୁବ୍‌ ସମାଲୋଚିତ ହୋଇଥିଲେ । ଏବେ ତାଙ୍କ ବୟାନ ପରେ ଲୋକେ କହୁଛନ୍ତି, କଙ୍ଗନା ଜାଣିଶୁଣି ଏଭଳି ବାହାନା କରୁଛନ୍ତି । କିନ୍ତୁ ରାଜନୀତିକାରଙ୍କ ଅନୁସାରେ ଏହି ବୟାନ ସତ । ଖାସ୍‌ ସେଥିପାଇଁ ବଲିଉଡ୍‌ର ଅନେକ ସେଲିବ୍ରିଟି ରାଜନୀତିକୁ ଆସିଛନ୍ତି ସତ, କିନ୍ତୁ ବେଶି ଦିନ ରହିପାରି ନାହାନ୍ତି । 

ଉଲ୍ଲେଖଯୋଗ୍ୟ, ଅଭିନେତା ଅମିତାଭ ବଚ୍ଚନ ନିଜ ସଂସଦୀୟ କ୍ଷେତ୍ର ଆହ୍ଲାବାଦରେ ନିଜ ଅର୍ଥ ବଳରେ ଏକ ମେଡିକାଲ ଭ୍ୟାନ୍‌ ଚଲାଉଥିଲେ । କିନ୍ତୁ ପରେ ସେ ହୃଦୟଙ୍ଗମ କଲେ ଯେ ଏହି ସଉକ ତାଙ୍କୁ ମହଙ୍ଗା ପଡୁଛି । ଏକ ଦୁର୍ନୀତିରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ନାଁ ଆସିଲା । ଏହା ପରେ ସେ ତୁରନ୍ତ ରାଜନୀତିଠୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ ।