କଟକ,୦୯/୧୦: ତିନି ତିନି ଥର ହାଇକୋର୍ଟରୁ ନୋଟିସ୍‌ ଗଲା । ଏହା ସତ୍ତେ୍ୱ  କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍‌ ଜବାବ ରଖିଲେନି । ଫଳରେ ହାଇକୋର୍ଟ ମଙ୍ଗଳବାର  ଏହି ମାମଲାକୁ ଏକତରଫା ବା ଏକ୍ସ ପାର୍ଟି ଭାବେ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବିଧାୟକ ଶ୍ରୀ ବାଗ୍‌ଙ୍କ ପାଇଁ ଏହା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି । ଗିରିରାଜ୍‌ ସିଂ ମାଝୀଙ୍କ ପକ୍ଷରୁ ଆଗତ ମାମଲାର  ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରା ଏହି ନିର୍ଦ୍ଦେଶ ଦେଇଛନ୍ତି । 

ବିଜେପି ପ୍ରାର୍ଥୀ ଭାବେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରୁ ଜିତିଥିବା ବିଧାୟକ  ଲକ୍ଷ୍ମଣ ବାଗ୍‌ ନିର୍ବାଚନ ସମୟରେ ସତ୍ୟପାଠରେ କେତେକ ତଥ୍ୟ ଲୁଚାଇଥିବା  ଅଭିଯୋଗ କରି ତାଙ୍କ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ତାଙ୍କ ବିଧାୟକ ପଦ ରଦ୍ଦ ଲାଗି  ସେ ପ୍ରାର୍ଥନା କରିଥିଲେ । ପ୍ରଥମେ ହାଇକୋର୍ଟ  ବିଧାୟକଙ୍କୁ ସ୍ପିଡ୍‌ ପୋଷ୍ଟରେ ଜବାବ ରଖିବା  ଲାଗି ନୋଟିସ୍‌ କରିଥିଲେ । କିନ୍ତୁ ଏହି ନୋଟିସ୍‌କୁ ସେ ଗ୍ରହଣ କଲେନାହିଁ।  ପରେ ହାଇକୋର୍ଟ ବଲାଙ୍ଗୀର ଜିଲ୍ଲାଜଜ୍‌ଙ୍କ ଜରିଆରେ ମଧ୍ୟ ବିଧାୟକଙ୍କୁ ନୋଟିସ୍‌  ପଠାଇଥିଲେ । ଏହାକୁ ମଧ୍ୟ ସେ ଗ୍ରହଣ କଲେନାହିଁ । ଶେଷରେ ହାଇକୋର୍ଟ ରେଜେଷ୍ଟ୍ରି  ଜରିଆରେ ଇମେଲ୍‌ କରି ଜବାବ ରଖିବାକୁ ଉଲ୍ଲେଖ କରିଥିଲେ । କିନ୍ତୁ ବିଧାୟକ ଶ୍ରୀ ବାଗ୍‌ ନା ଏହି ଇ-ମେଲ୍‌ରେ କୌଣସି ଜବାବ ରଖିଲେ ନା ଅଦାଲତରେ ତାଙ୍କ ଆଇନଜୀବୀଙ୍କ ଜରିଆରେ ପକ୍ଷ ରଖିଲେ। ଫଳରେ ହାଇକୋର୍ଟ ଏହି ମାମଲାକୁ  ଏକତରଫା ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ଆଇନଜୀବୀ ସୂର୍ଯ୍ୟାଂଶୀ ଶ୍ରୀବାସ୍ତବ ନତାସା ଅଗ୍ରୱାଲ କହିଛନ୍ତି ଯେ, ଏହି ଆଦେଶ  ଫଳରେ ଅଦାଲତ ଏଣିକି କେବଳ ଆବେଦନକାରୀଙ୍କ ପକ୍ଷକୁ ଶୁଣିବେ । ବିଧାୟକଙ୍କୁ  ଆଉ କହିବାର କିମ୍ବା ଜବାବ ରଖିବାର କୌଣସି ସୁଯୋଗ ଦିଆଯିବ ନାହିଁ ।