କଣ୍ଟାମାଳ,୧୮।୮ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକର ସଦର କଣ୍ଟାମାଳକୁ ଏନ୍ଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି l ଫିଜିବିଲିଟି ଦୃଷ୍ଟିରୁ ନୂତନ ଏନଏସି ନିମନ୍ତେ କଣ୍ଟାମାଳ ହିଁ ଦାବିଦାର ରହିଆସିଛି । ବର୍ତ୍ତମାନ ନୂତନ ସରକାର ସମ୍ପ୍ରତି ୧୨ଟି ନୂତନ ଏନ୍ଏସି ତାଲିକା ଘୋଷଣା କରିଥିବାବେଳେ ସେଥିରେ କଣ୍ଟାମାଳର ନାମ ନ ଥିବାରୁ କଣ୍ଟାମାଳ ଜନସାଧାରଣଙ୍କୁ ନିରାଶ ହେବାକୁ ପଡ଼ିଛି। ଏହାକୁ ନେଇ କଣ୍ଟାମାଳରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ଗମନାଗମନ ଦୃଷ୍ଟିରୁ କଣ୍ଟାମାଳ ଚାରିଟି ଜିଲ୍ଲାର ସଂଯୋଗ ସ୍ଥଳ l ଏନଏସି ଗଠନ ପାଇଁ ଆବଶ୍ୟକତା ଠାରୁ ଅଧିକ ଲୋକ ସଂଖ୍ୟା ରହିଛି l ଜିଲ୍ଲାର ତିନୋଟି ବ୍ଲକ ମଧ୍ୟରୁ କଣ୍ଟାମାଳ ଅନ୍ୟତମ l ଏଠାରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ,ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, କଣ୍ଟାମାଳ ଦେୱାନୀ ଓ ଫୌଜଦାରୀ ଅଦାଲତ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଥାନା, ଓଡିଶା ଆଦର୍ଶ ବିଦ୍ୟାଳୟ, ନାକ ମାନ୍ୟତାପ୍ରାପ୍ତ କଣ୍ଟାମାଳ କଲେଜ,ଆଇସିଡ଼ିଏସ କାର୍ଯ୍ୟାଳୟ, ସମେତ ପ୍ରାୟ ସମସ୍ତ ବ୍ଲକସ୍ତରୀୟ ସରକାରୀ କାର୍ଯ୍ୟାଳୟ ରହିଛି l କଣ୍ଟାମାଳକୁ ସବଡ଼ିଭିଜନ ମାନ୍ୟତା ପ୍ରଦାନ ପାଇଁ କଣ୍ଟାମାଳ ଓକିଲ ସଂଘ ସହ ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ପକ୍ଷରୁ ଆନ୍ଦୋଳନ କରାଯାଇଛି l ଏପରିକି କଣ୍ଟାମାଳକୁ ସବଡ଼ିଭିଜନ ଘୋଷଣା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି l ଏହା ଏକ ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏନ୍ଏସି ପାଇଁ ସମସ୍ତ ସାଧନଯୋଗ୍ୟତା ତଥା ସମ୍ଭାବ୍ୟତା ରହିଛି। କଣ୍ଟାମାଳକୁ ଏନଏସି ମାନ୍ୟତା ପାଇଁ ଉଦ୍ଦିଷ୍ଟ ସମସ୍ତ କାଗଜାତ ଓ ତଥ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ କଣ୍ଟାମାଳ ବିଡ଼ିଓ ଙ୍କ ମାଧ୍ୟମରେ ଜିଲ୍ଲାପାଳ ଓ ପରେ ସରକାରଙ୍କୁ ସର୍ବପ୍ରଥମେ ପ୍ରଦାନ କରାଯାଇଥିଲା । ବିଭିନ୍ନ ସମୟରେ ସମସ୍ତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି କଣ୍ଟାମାଳ କୁ ଏନଏସି ଭାବେ ଘୋଷଣା କରିବା ନେଇ ସରକାର ଘୋଷଣା କରିଥିଲେ ହେଁ ଅଗାମୀ ଦିନରେ ସବଡ଼ିଭିଜନ ମାନ୍ୟତା ଅପେକ୍ଷାରେ ଥିବା କଣ୍ଟାମାଳ କୁ ନୂତନ ଏନଏସି ତାଲିକାରୁ ବଞ୍ଚିତ କରାଯାଇଥିବାକୁ ନେଇ କଣ୍ଟାମାଳର ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ସରକାର ତୁରନ୍ତ ଏହାର ଆବଶ୍ୟକତାକୁ ଉପଲବ୍ଧ କରି ଦ୍ୱିତୀୟ ତାଲିକାରେ କଣ୍ଟାମାଳକୁ ଏନଏସି ଘୋଷଣା ପାଇଁ ସାଧାରଣରେ ଦାବି ହେଉଛି l