ନୂଆଦିଲ୍ଲୀ, ୦୭/୦୩ : ସରକାରୀ ହେଉକି ଘରୋଇ ଚାକିରି ସବୁ କାମରେ ଅଛି ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟ। ହେଲେ ଅଭିନୟ ଦୁନିଆ ଟିକେ ଅଲଗା। ଏଠି ସିପ୍ଟ ନାହିଁ କି ସମୟ ନିର୍ଘଣ୍ଟ ନାହିଁ। ଯେତିକି ସମୟ ଶୁଟିଂ ଚାଲିବ ସେତିକି ସମୟ କାମ କରିବାକୁ ପଡ଼ିବ। ଅଭିନେତା-ଅଭିନେତ୍ରୀଙ୍କୁ ନିଜ ଘର ପରିବାର ଛାଡ଼ି କାମ କରିବାକୁ ପଡ଼ିବ। ତେବେ ଶୁଟିଂରେ ସମୟ ନିର୍ଘଣ୍ଟକୁ ନେଇ ଏବେ ଜୋର୍ ଧରିଛି ଚର୍ଚ୍ଚା। ଦୀପିକା ପାଦୁକୋନଙ୍କ ୮ ଘଣ୍ଟିଆ ସିଫ୍ଟ ଡିମାଣ୍ଡ୍ ପରେ ତାଙ୍କୁ ସମର୍ଥନ କରିଛନ୍ତି କରୀନା କପୁର ଏବଂ ଅନନ୍ୟା ପାଣ୍ଡେ। ଏହି ଦୁଇ ଅଭିନେତ୍ରୀ ମଧ୍ୟ ସିଫ୍ଟ ଡିମାଣ୍ଡ୍ କରିଛନ୍ତି। ଫିଲ୍ମ ଶୁଟିଂ ଆରମ୍ଭ ହେବା ପୂର୍ବରୁ ନିର୍ମାତାଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ବୋଲି କହିଛନ୍ତି।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କରୀନା କପୁର କହିଛନ୍ତି ଯେ, ସବୁ କାମ ପାଇଁ ଭଲ ଭାବେ ପ୍ଲାନିଂ କରିବା ଜରୁରୀ। ଶୁଟିଂ ଆରମ୍ଭ କରିବା ପୂର୍ବରୁ ଅଭିନେତା-ଅଭିନେତ୍ରୀଙ୍କୁ ନିର୍ମାତାଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିନେବା ଜରୁରୀ। "ଦି ବକିଙ୍ଗହାମ ମର୍ଡର୍ସ" ଫିଲ୍ମ କରୁଥିବା ବେଳେ ସେ ନିର୍ମାତାଙ୍କୁ ଏହା ସ୍ପଷ୍ଟ କରିଥିଲେ। ଏପରିକି ଲଣ୍ଡନରେ ସୁଟିଂ ସମୟରେ ସୈଫ ଅଲ୍ଲୀ ଖାନ ତାଙ୍କ ପିଲାମାନଙ୍କ ସହିତ ଥିଲେ। ଦୀପିକାଙ୍କ ଆଠ ଘଣ୍ଟାର ସମୟ ନିର୍ଘଣ୍ଟ ଦାବି ବିଷୟରେ କରୀନା କହିଛନ୍ତି ଯେ, ବିବାହିତ କଳାକାରଙ୍କୁ ଏପରି ଜଣେ ସାଥୀ ଦରକାର ଯିଏ ସେମାନଙ୍କୁ ଭଳ ଭାବବୁଝିପାରିବ। ବେଳେ ବେଳେ ପରିବାର ପାଇଁ ଛୋଟ ଛୋଟ ତ୍ୟାଗ ମଧ୍ୟ କରିବାକୁ ପଡ଼ିପାରେ। ଏପରିକି ଫିଲ୍ମ କରିବାକୁ ମନା କରିବା ପର୍ଯ୍ୟନ୍ତ ମଧ୍ୟ କଥା ଆସିପାରେ। ତେଣୁ ଜଣେ ବିବାହିତା ମହିଳା ହୋଇଥିବା ଦୃଷ୍ଟିରୁ ଯଦି ଏତେ ସମୟ ଦେଇ ପାରିବେ ନାହିଁ ତାହେଲେ ଫିଲ୍ମ କରିବା ପୂର୍ବରୁ ନିର୍ମାତାଙ୍କ ସହ ଆଲୋଚନା କରିନେବା ଉଚିତ୍।
ସେହିପରି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଦୀପିକାଙ୍କ ସମର୍ଥନରେ କହିଛନ୍ତି ଯେ, ମୁଁ ଦୀପିକାଙ୍କ ସହ କାମ କରିଛି। ସେ ମା ହେବା ପୂର୍ବରୁ ତାଙ୍କର ଏଭଳି କିଛି ସର୍ତ୍ତ ନଥିଲା। ସେ ନିରନ୍ତର କାମ କରନ୍ତି। ୱାର୍କସପ୍ ମଧ୍ୟ ଆସନ୍ତି। ଏବେ ସେ ଜଣେ ମା। ପିଲାକୁ ସମୟ ଦେବା ନିହାତି ଜରୁରୀ। ତେଣୁ ବ୍ୟକ୍ତିଗତ ଜୀବନ ଏବଂ କ୍ୟାରିଅର ମଧ୍ୟରେ ସନ୍ତୁଳନ ପାଇଁ ନିର୍ମାତାଙ୍କ ସହ ବୁଝାମଣା କରିନେବା ଉଚିତ୍।
ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନ କହିଛନ୍ତି ଯେ, ପୂର୍ବରୁ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୧୬ ଘଣ୍ଟାର କାର୍ଯ୍ୟ ସିଫ୍ଟ ଥିଲା। ଏବେ ତାହାକୁ ୧୨ ଘଣ୍ଟା କରିଦିଆଯାଇଛି। ତେବେ ସିନେମାରେ ସମୟ ନିର୍ଘଣ୍ଟ ଛଅ ଘଣ୍ଟା ପର୍ଯ୍ୟନ୍ତ ସୀମିତ କରାଯାଇପାରିବ ନାହିଁ କାରଣ ଗୋଟିଏ ଦିନରେ ଅନେକ କାମ କରିବାକୁ ପଡେ।
ଏହି ଖବରଟିକୁ ପଢନ୍ତୁ- ମ୍ୟାଚ୍ ଦେଖି ବାହାରୁଥିଲେ ବରୁଣ ଧାଓ୍ବନ, ଫ୍ୟାନ୍ସ ସେଲ୍ଫି ଉଠାଇବାରୁ...