ନୂଆଦିଲ୍ଲୀ ୦୭/୦୭: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ଚର୍ଚ୍ଚାରେ । ଏଥରକ କୌଣସି ଫିଲ୍ମ କିମ୍ବା ରେଡ୍‌ କାର୍ପେଟ୍‌ ଲୁକ୍‌ ପାଇଁ ନୁହେଁ, ବରଂ ଇନ୍‌ଷ୍ଟାଗ୍ରାମ ଷ୍ଟୋରି ଜରିଆରେ ସେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ସେଥିରେ କରୀନା ଇଟାଲୀର ଲଗ୍‌ଜୁରୀ ଫ୍ୟାଶନ୍‌ ବ୍ରାଣ୍ଡ ‘ପ୍ରାଦା’କୁ କଟାକ୍ଷ କରିଛନ୍ତି । ଲଣ୍ଡନରେ ଏବେ ପରିବାର ସହ ଛୁଟି ମନାଉଛନ୍ତି କରୀନା । ତାର ଏକ ଫଟୋ ସେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ସେଥିରେ କରୀନା ଆରାମରେ ବସିଥିବା ଦେଖିବାକୁ ମିଳୁଛି । ତାଙ୍କ ପାଦରେ ସିଲଭର ରଙ୍ଗର କୋହ୍ଲାପୁରୀ ଚପଲ ଶୋଭାପାଉଛି । କ୍ୟାପସନ୍‌ରେ ସେ ଲେଖିଛନ୍ତି, ‘କ୍ଷମାକରନ୍ତୁ ‘ପ୍ରାଦା’ ନୁହେଁ, ମୋର କୋହ୍ଲାପୁରୀ ଚପଲ’ । କରୀନାଙ୍କ ଏହି ପୋଷ୍ଟକୁ ଭାରତୀୟ ପାରମ୍ପରିକ କାରିଗରିକୁ ସମର୍ଥନ କରିବାର ମଜଭୁତ ବାର୍ତ୍ତା ଭାବେ ଦେଖାଯାଉଛି । 

ଘଟଣାଟି ଏହିପରି । ଜୁନ୍‌ ୨୨ରେ ମିଲାନ୍‌ରେ ଅନୁଷ୍ଠିତ ଏକ ଫ୍ୟାଶନ୍‌ ଶୋ’ରେ ‘ପ୍ରାଦା’ ପୁରୁଷମାନଙ୍କ ଲାଗି ଏକ ସ୍ଲିପର ଲଞ୍ଚ୍‌ କରିଥିଲା । ତାହା ବିଲକୁଲ୍‌ ଭାରତର କୋହ୍ଲାପୁରୀ ଚପଲ ଭଳି ଦେଖାଯାଉଥିଲା । ଏହାପରେ ଅନ୍ତର୍ଜାତୀୟ ବ୍ରାଣ୍ଡ ଭାରତୀୟ କାରିଗରିକୁ ବିନା କ୍ରେଡିଟ୍‌ ଦେଇ ବ୍ୟବହାର କରୁଥିବା ନେଇ ବିତର୍କ ସୃଷ୍ଟି ହୋଇଥିଲା । ଏହା ଜରିଆରେ ପାରମ୍ପରିକ ଶିଳ୍ପୀଙ୍କ ସମ୍ମାନ କଥା ଉଠାଇଥିଲେ ଲୋକେ । ପରେ ବମ୍ବେ ହାଇକୋର୍ଟରେ ଏଥିନେଇ ଏକ ଜନସ୍ୱାର୍ଥ ମାମଲା ବି ରୁଜୁ ହୋଇଥିଲା । ବିବାଦ ବଢ଼ିବା ପରେ ବ୍ରାଣ୍ଡକୁ ତାର ଡିଜାଇନ୍‌ କୋହ୍ଲାପୁରୀ ଚପଲରୁ ପ୍ରେରିତ ବୋଲି ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା ।