ନୂଆଦିଲ୍ଲୀ,୦୧/୦୬:କର୍ଣ୍ଣାଟକରେ ୧୨୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପ୍ରାକ-ମୌସୁମୀ ବର୍ଷା।ଏନେଇ ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କାର୍ଯ୍ୟାଳୟ କହିଛି ଯେ, ଏପ୍ରିଲ୍ ପରଠାରୁ ରାଜ୍ୟରେ ଅତ୍ୟଧିକ ପ୍ରାକ-ମୌସୁମୀ ବର୍ଷା ଯୋଗୁଁ ୭୧ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସାଧାରଣତଃ ମୌସୁମୀ ମାସରେ ୭୪ ମିମି ବର୍ଷା ହୁଏ। କିନ୍ତୁ ଏଥର ୨୧୯ ମିମି ବର୍ଷା ହୋଇଛି। ଯାହା ସ୍ୱାଭାବିକ ଅପେକ୍ଷା ୧୯୭ ପ୍ରତିଶତ ଅଧିକ। ସେହିପରି, ୨୦୨୫ ମସିହାରେ ପ୍ରାକ ମୌସୁମୀ ଅବଧି ରେ ରାଜ୍ୟରେ ୨୮୬ ମିମି ବର୍ଷା ହୋଇଥିଲା। ଯେତେବେଳେ ଏହି ସମୟ ମଧ୍ୟରେ ସାଧାରଣତଃ ୧୧୫ ମିମି ବର୍ଷା ହୁଏ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ଗତ ୧୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟରେ ମେ ମାସରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୮ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ସମସ୍ତ ଜିଲ୍ଲାର ଡେପୁଟି କମିଶନର ଏବଂ ଜିଲ୍ଲା ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସିଦ୍ଧରମୈୟା ସେମାନଙ୍କୁ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ତୁରନ୍ତ ପରିଦର୍ଶନ କରିବାକୁ ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା କିମ୍ବା ଭୂସ୍ଖଳନ ଦ୍ୱାରା ମୋଟ ୨,୨୫୨ଟି ଗାଁ ପ୍ରଭାବିତ ହୋଇଛି। ୧୭୦୨ ଘର କ୍ଷତିଗ୍ରସ୍ତ ହୋଇଛି।
ସିଦ୍ଧରମୈୟା ଆହୁରି ମଧ୍ୟ କହିଛନ୍ତି ଯେ, ଘରଗୁଡ଼ିକର କ୍ଷତି ପୂରଣ ପାଇଁ ପାଣ୍ଠିର କୌଣସି ଅଭାବ ନାହିଁ। ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଅଧୀନରେ ୧ ହଜାର କୋଟି ଟଙ୍କା ଉପଲବ୍ଧ। ସେ ବର୍ଷା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ଏବଂ ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ ଡିସି ଏବଂ ସିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଘରଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କ ପାଇଁ ସରକାର ୧.୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏପରି ପରିବାର ପାଇଁ ଏକ ନୂତନ ଘର ନିର୍ମାଣ କରାଯିବ, ଯାହା ପାଇଁ ଡିସିଙ୍କୁ ପଦକ୍ଷେପ ନେବାକୁ ପଡିବ।