ମୁମ୍ବାଇ ୦୩/୦୬: ଫିଲ୍ମ ‘ଭୂଲ୍‌ ଭୂଲୈୟା-୩’ ପରେ ଅପ୍‌କମିଙ୍ଗ୍‌ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ତୁ ମେରୀ ମେଁ ତେରା, ମେଁ ତେରୀ ତୁ ମେରା’ ରେ ନଜର ଆସିବେ କାର୍ତ୍ତିକ ଆର‌୍ୟନ । ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିଲା । ଏବେ ପ୍ରଯୋଜକ କରନ ଜୋହର ଏହାର ରିଲିଜ୍‌ ତାରିଖ ମଧ୍ୟ ଚୂଡ଼ାନ୍ତ କରିଛନ୍ତି । ଏଥିସହିତ ସେ ଫିଲ୍ମର ଫାର୍ଷ୍ଟ ଲୁକ୍‌ ଜାରି କରିଛନ୍ତି । ଫିଲ୍ମରେ କାର୍ତ୍ତିକଙ୍କ ସହ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆସନ୍ତା ବର୍ଷ ଫେବ୍ରୁଆରୀ ୧୩ରେ (ଭାଲେଣ୍ଟାଇନ୍‌ ସପ୍ତାହ) ଏହା ସିନେମାଘରକୁ ଆସିବ । 

ଫାର୍ଷ୍ଟ ଲୁକ୍‌ ଶେୟାର କରି କରନ ଲେଖିଛନ୍ତି ‘ପ୍ରେମରେ ବୁଡ଼ିଯାଇଛନ୍ତି! ଆମର ରେ (କାର୍ତ୍ତିକ)ଙ୍କୁ ଭେଟନ୍ତୁ ଏବଂ ତାଙ୍କ ରୁମି (ଅନନ୍ୟା) ସହ ପରିଚୟ କରାଉଛୁ!’ କରନ ଶେୟାର କରିଥିବା ଫଟୋରେ କାର୍ତ୍ତିକ-ଅନନ୍ୟା ପରସ୍ପରକୁ ଚୁମ୍ବନ ଦେଉଛନ୍ତି । ପାସ୍‌ପୋର୍ଟକୁ ଆଗକୁ ରଖି ଊଭୟ ମୁହଁକୁ ଅଧା ଲୁଚାଇଛନ୍ତି । ଫିଲ୍ମରେ ରୋମାନ୍ସର ଭରପୂର ଖୋରାକ ରହିବ ବୋଲି ଫାର୍ଷ୍ଟ ଲୁକ୍‌ରୁ ଜଣାପଡୁଛି । ଏହି ଫିଲ୍ମ ଜରିଆରେ ଦ୍ୱିତୀୟ ଥର କାର୍ତ୍ତିକ-ଅନନ୍ୟାଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିବ । ‘ପତି-ପତ୍ନୀ ଔର୍‌ ୱ’ରେ ଉଭୟ ଏକାଠି କାମ କରିଥିଲେ । 




ସୂଚନାଯୋଗ୍ୟ, କାର୍ତ୍ତିକ ଓ କରନଙ୍କ ମଧ୍ୟରେ ୨୦୨୧ରେ ଟିକିଏ ମନୋମାଳିନ୍ୟ ହୋଇଥିଲା । ସେଥିପାଇଁ କରନଙ୍କ ‘ଦୋସ୍ତାନା-୨’ରୁ କାର୍ତ୍ତିକଙ୍କୁ ବାହାର କରି ଦିଆଯାଇଥିଲା । ଫିଲ୍ମରେ କାର୍ତ୍ତିକଙ୍କ ସହ ଜାହ୍ନବୀ କପୁର, ଲକ୍ଷ୍ୟ ଲଲୱାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥାନ୍ତେ । ତେବେ, ପରେ ଉଭୟଙ୍କ ମଧ୍ୟରେ ମାମଲାର ସମାଧାନ ହୋଇଗଲା । କାର୍ତ୍ତିକଙ୍କ ୩୩ତମ ଜନ୍ମଦିନ ଅବସରରେ କରନ ତାଙ୍କ ସହ ଏକ ନୂଆ ଫିଲ୍ମ (ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ) ଘୋଷଣା କରିଥିଲେ ।