ଭୁବନେଶ୍ୱର,୦୫/୧୧: ଆ-କା-ମା-ବୈ ପାନ ଗୁଆଥୋଇ ପାନ ଗୁଆ ତୋର.... ମାସକ ଧରମ ମୋର । ଭୋରୁ ସମସ୍ତଙ୍କ ମୁହଁରେ ଉତ୍କଳୀୟ ମହାନ ପରମ୍ପରା ସହିତ ଜଡ଼ିତ ଏହି ପଦ ସମୂହ ପୁଷ୍କରିଣୀ, ଜଳାଶୟ ଓ ନଦୀପଠାରେ ଗୁଞ୍ଜରିତ ହୋଇଛି । ଧୂପ,ଦୀପ, କର୍ପୁର ମହକରେ ପରିବେଶ ସୁଗନ୍ଧିତ ହୋଇଉଠିଛି । ତା’ସାଙ୍ଗକୁ ହୁଳହୁଳି ଓ ଘଣ୍ଟର ତାନ ସଭିଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଭାବନା ।
ଆଜି ଅର୍ଥାତ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଳାଶୟରେ ଡଙ୍ଗା ଭସାଇ ପରମ୍ପରା ରକ୍ଷା କରିବେ । ଏଥିପାଇଁ ସହରର ପ୍ରମୁଖ ଜଳାଶୟ ନିକଟରେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି । ବିଳମ୍ବିତ ରାତିରୁ ଭଜନ, ସଂକୀର୍ତ୍ତନରେ ଜଳାଶୟ, ନଦୀ ପଠା ଉତ୍ସବ ମୁଖରିତ ହୋଇଉଠିଛି । ସେଥିପାଇଁ ମଙ୍ଗଳବାର ଦିନତମାମ ଡଙ୍ଗା ଓ ବୋଇତବନ୍ଦାଣର ବିଭିନ୍ନ ସାମଗ୍ରୀ କିଣିବା ପାଇଁ ବଜାରରେ ପ୍ରବଳ ଭିଡ଼ ଜମିଥିଲା । କିଏ ଡଙ୍ଗା କିଣୁଥିଲେ ତ କିଏ ମୁରୁଜ । ସେଥିପାଇଁ ଦୋକାନୀ ହାତକୁ ମଧ୍ୟ ତର ନଥିଲା । ଏହିଦିନକୁ ହାତଛଡ଼ା ନକରିବା ପାଇଁ ବହୁଦୂରରୁ ମଧ୍ୟ ବିଭିନ୍ନ ଦେଶୀୟ ସାମଗ୍ରୀ ଧରି ରାଜଧାନୀକୁ ଦୌଡ଼ି ଆସିଥିଲେ ଅନେକ ଛୋଟ ବେପାରୀ । କଦଳୀ ପଟରେ ତିଆରି ଡଙ୍ଗା, ଧଳା ଓ ଲାଲ କଇଁ, ଆଖୁ..ଭଳି ବିଭିନ୍ନ ସାମଗ୍ରୀର ପସରା ଲଗାଇଥିଲେ । ବିଶେଷକରି ଏକ ନମ୍ବର ହାଟରେ ମହିଳାମାନେ ବିକୁଥିବା କଇଁଫୁଲ ବେଶ୍ ଆକର୍ଷଣ ସାଜିଥିଲା । ଯାହାର ମୂଲ୍ୟ ରହିଥିଲା ଗୋଟାକୁ ୨୦ ଟଙ୍କା । ଏହା ସହିତ ଭଳିକି ଭଳି ଡଙ୍ଗାର ସମ୍ଭାର ଲାଗିଥିଲା ରାସ୍ତାକଡ଼ରେ । ୧୦ ଟଙ୍କାରୁ ଆରମ୍ଭକରି ୫ ହଜାର ପର୍ଯ୍ୟନ୍ତଡଙ୍ଗାକୁ ସଜେଇ ରଖିଥିଲେ ଦୋକାନରେ । ଲୋକେ ନିଜ ପସନ୍ଦମୁତାବକ ଡଙ୍ଗା କିଣି ନେଉଛନ୍ତି । ବୋଇତ ବନ୍ଦାଣ ପାଇଁ ଦରକାର ଗୁଆ, ପାନ, ଦୀପ, ଫୁଲ, ଆଖୁ, ଦୁବ ଘାସ ଭଲିସାମଗ୍ରୀ ବିକ୍ରି ହେଉଥିଲା । ଏହିସବୁ ସାମଗ୍ରୀକୁ ଏକାଠି କରି୫୦ ଟଙ୍କାରେ ବିକୁଛନ୍ତି। ଏକ ନମ୍ବର ବଜାରରେ ଡଙ୍ଗା ବିକ୍ରି କରୁଥିବା ସରୋଜ କୁହନ୍ତି, ଆଜି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଗତକାଲି ବିଭିନ୍ନ ସାମଗ୍ରୀ କିଣିବା ପାଇଁ ବେଶ୍ ଭିଡ଼ । ସନ୍ଧ୍ୟାବେଳେ ଭିଡ଼ ଆହୁରି ବଢ଼ିଥିଲା । ବିଶେଷ କରି ଧର୍ମ ଲେଖାଥିବା ଡଙ୍ଗା,କାଗଜ ଓ ସୋଲ ଡଙ୍ଗା କିଣିବା ପାଇଁ ଲୋକମାନେ ଅଧିକଆଗ୍ରହ ପ୍ରକାଶ କରୁଛନ୍ତି । ଯାହାର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ।