ନୂଆଦିଲ୍ଲୀ : ତାମିଲନାଡୁର କରୁରରେ ଟିଭିକେ ରାଲିରେ ଦଳାଚକଟା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଦଳର ଜିଲ୍ଲା ସମ୍ପାଦକ ମାଥିୟାଜାଗନଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତିନି ଜଣ ଟିଭିକେ ନେତା: ମାଥିୟାଜାଗନ, ବୁଶି ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲା।

ସେପ୍ଟେମ୍ବର ୨୭ ତାରିଖ ରାତିରେ ତାମିଲନାଡୁର କରୁରରେ ଅଭିନେତା ତଥା ରାଜନେତା ବିଜୟଙ୍କ ନିର୍ବାଚନୀ ରାଲିରେ ଦଳାଚକଟା ହେବାରୁ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୮୦ ଜଣ ଆହତ ହୋଇଥିଲେ। ଏଫଆଇଆର ଅନୁଯାୟୀ, ପୋଲିସ ମାଥିୟାଜାଗନ, ବୁଶି ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କୁ ସତର୍କ କରାଇ ଦେଇଥିଲା ଯେ ଭିଡ଼ ଯୋଗୁଁ ପରିସ୍ଥିତି ଅନିୟନ୍ତ୍ରିତ ହେଉଛି, ଶ୍ୱାସରୁଦ୍ଧ ହେବା ଏବଂ ଶାରୀରିକ କ୍ଷତି ହେବାର ଆଶଙ୍କା ରହିଛି। ଅଭିଯୋଗ ହୋଇଛି ଯେ, ଟିଭିକେ ନେତା ମାନେ କର୍ମୀ ମାନଙ୍କୁ ସଠିକ୍ ଭାବରେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ, ଯାହା ଫଳରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଗଲା।

ଜିଲ୍ଲାପାଳ ଏମ୍. ଥାଙ୍ଗାଭେଲଙ୍କ ଅନୁଯାୟୀ, ଏହି ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ୧୮ ଜଣ ମହିଳା, ୧୩ ଜଣ ପୁରୁଷ, ପାଞ୍ଚ ଜଣ ପୁଅ ଏବଂ ପାଞ୍ଚ ଜଣ ଝିଅ ଥିଲେ। ପୋଷ୍ଟମର୍ଟମ ପରେ ମୃତକଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ତାମିଲନାଡୁର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।