କେସିଙ୍ଗା, ୧୧/୮: ଧାରା ଶ୍ରାବଣରେ ବର୍ଷାର ଲୁଚକାଳୀ ଖେଳ । ନିଅଣ୍ଟିଆ ବର୍ଷା ଯୋଗୁ ବଢ଼ୁଛି ଚାଷୀଙ୍କ ସମସ୍ୟା । ଏପଟେ ବନ୍ଧ କିମ୍ବା କ୍ଷୁଦ୍ର ଜଳସେଚଗୁଡ଼ିକରେ ପାଣି ନାହିଁ । ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଉପରେ ପ୍ରଭାବ ପଡ଼ିଛି। ବିଶେଷ କରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅଞ୍ଚଳରେ ଧାନ ଚାଷ ଅଧିକ ପ୍ରଭାବ ହୋଇଛି । ଚାଷ ପାଇଁ ଆବଶ୍ୟକ ଅନୁଯାୟୀ ମୌସୁମୀ ବର୍ଷା ହୋଇନଥିବା ବେଳେ କେବଳ କିଛି ବାହାଲ ଜମିକୁ ଛାଡ଼ିଦେଲେ ମାଳ, ବେର୍ଣ୍ଣା କିସମ ଜମିରେ ବର୍ତ୍ତମାନ ପର୍ଯ୍ୟନ୍ତ ରୁଆ ବେଉସଣ ହୋଇନାହିଁ । ଅଳ୍ପ କିଛି ଜମିରେ ରୁଆ ବେଉସଣ ହୋଇଛି । ହେଲେ ବର୍ଷା ହେଉନଥିବାରୁ ତାହା ବି ମରିବାକୁ ବସିଲାଣି । ଜଳସେଚନ ସମସ୍ୟା ଅଭିଯୋଗ ଆଣିଲେ କଶୃପଡା ଗ୍ରାମପଞ୍ଚାୟତର ଚାଷୀ ।
କଶୃପଡା ଏବଂ କନ୍ତେଶିର ପଞ୍ଚାୟତରେ ଚଳିତ ବର୍ଷ ଭୟାନକ ମରୁଡି ଦେଖା ଦେଇଥିବା ନେଇ କେସିଙ୍ଗା ବିଡ଼ିଓ ଓ ତହସିଲଦାରଙ୍କ ଠାରେ ଲିଖିତ ଅଭିଯୋଗ କରିଛି କଶୃପଡା କୃଷକ ସଂଗଠନ । ଏହାର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହା ସହିତ ପଡିଆ ଜମିରେ କିପରି ଡାଲି ଜାତୀୟ ଫସଲ କରାଯାଇ ପାରିବ ସେନେଇ ବ୍ୟବସ୍ଥା କରିବାକୁ କୃଷକ ସଂଗଠନ ପକ୍ଷରୁ କେଶବ ଭୋଇ, ପର୍ଶୁରାମ ପାଢ଼ୀ, ନୀଳମାଧବ ସା, ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି।
କେସିଙ୍ଗା ବ୍ଳକର କଶୃପଡା, କନ୍ତେଶିର, ପରଲସିଙ୍ଗା, ବାଲସି, ସିରୋଲ, କାଣ୍ଡେଲ, ସିର୍ଜାପାଲି ଭଳି ଅନ୍ୟାନ୍ୟ ପଞ୍ଚାୟତରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଉପରେ ପ୍ରଭାବ ପଡିଛି ଏବଂ ଚାଷୀକୁଳ ହତାସରେ ବସିଛନ୍ତି। ଆଗକୁ ଆଉ ବର୍ଷା ହେଲେ ଚାଷ ହୋଇପାରିବ ନାହିଁ । ଜମିରେ ଧାନ ତଳି ସବୁ ବୁଢ଼ା ହୋଇଥିବା ବେଳେ ବୁଣା ଧାନ ମଧ୍ୟ ବେଇସଣ ହୋଇନପାରି ନଷ୍ଟ ହେବାକୁ ବସିଲାଣି । କଶୃପଡା ଓ କନ୍ତେଶିର ପଞ୍ଚାୟତ ଅଞ୍ଚଳରେ ୭୦ ପ୍ରତିଶତ ଜମିରେ ମରୁଡ଼ି ସ୍ଥିତି ଦେଖା ଦେଇଛି ।