ନୂଆଦିଲ୍ଲୀ,୮।୧୧:  ଦିଲ୍ଲୀରେ ବିମାନ ଚଳାଚଳରେ ହୋଇଥିବା ଯାନ୍ତ୍ରିକ ସମସ୍ୟା ପରେ ଏବେ କାଠମାଣ୍ଡୁରେ ମଧ୍ୟ ସାମାନ ଅବସ୍ଥା। ନେପାଳର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନଓ୍ବେ ଲାଇଟ୍‌ରେ ଯାନ୍ତ୍ରିକ ସମସ୍ୟାପରେ  ଉଡାଣକୁ ରୋକି ଦିଆଯାଇଛି। ଏୟାରପୋର୍ଟ ଅଧିକାରୀ କହିଛନ୍ତି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଉଡାଣ ବନ୍ଦ ରହିବ।

ଅଧିକାରୀଙ୍କ ସୂଚନା ଅନୁସାରେ, ରନଓ୍ବେ ଲାଇଟ୍‌ରେ ଯାନ୍ତ୍ରିକ ସମସ୍ୟା କାରଣରୁ ନେପାଳର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣ ରୋକି ଦିଆଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ବିମାନକୁ ଗ୍ରାଉଣ୍ଡ କରି ଦିଆଯାଇଛି।

ସମସ୍ୟାର ଯାଞ୍ଚ ଓ ସମାଧାନ ପାଇଁ ଟେକ୍ନିକାଲ ଟିମ୍ ଏୟାରପୋର୍ଟରେ ମୁତୟନ କରାଯାଇଛି। ତୁରନ୍ତ ବିମାନ ଚଳାଚଳ ନେଇ ଚେଷ୍ଟା ଚାଲିଛି। ଏୟାରପୋର୍ଟର ମୁଖପାତ୍ର ରେନେଜି ଶେର୍ପା କହିଛନ୍ତି, ରନଓ୍ବେର ଏୟାରଫିଲ୍ଡ ଲାଇଟିଂ ସିଷ୍ଟମରେ ସମସ୍ୟା ରହିଛି। ଅତି କମ୍‌ରେ ୫ଟି ବିମାନ ବର୍ତ୍ତମାନ  ହୋଲ୍ଡରେ ରହିଛି। ଉଲ୍ଲେଖନୀୟ ଯେ, ଦିନକ ତଳେ ଭାରତର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟେକ୍ନିକାଲ ସମସ୍ୟା କାରଣରୁ ଶୁକ୍ରବାର ଉଡାଣ ଚଳାଚଳରେ ସମସ୍ୟା ହୋଇଥିଲା। ଏହାର ପ୍ରଭାବ ପୁରା ଦେଶର ଏୟାର ଟ୍ରାଫିକ ଉପରେ ପଡିଥିଲା।