ମୁମ୍ୱାଇ : ମହାକୁମ୍ଭ ୨୦୨୫ ଶେଷ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶ ବିଦେଶରୁ ପାଖାପାଖି ୬୨ କୋଟି ଲୋକ ବୁଡ଼ ଦେଇ ସାରିଲେଣି। ଏହି ମଧ୍ୟରେ ବଲିଉଡିର ସେଲିବ୍ରେଟିମାନେ ପ୍ରୟାଗରାଜରେ ପହଞ୍ଚିବାରେ ଲାଗିଛନ୍ତି। କିଛିଦିନ ପୂର୍ବରୁ ଫିଲ୍ମ ‘ଛାଭା’ ଅଭିନେତା ଭିକି କୌଶଳ ସଙ୍ଗମରେ ସ୍ନାନ କରିବାକୁ ପହଞ୍ଚି ଥିଲେ। ଏବେ ତାଙ୍କର ମାଆ ନିଜର ବୋହୂ କାଟ୍ରିନାଙ୍କୁ ନେଇ ତ୍ରିବେଣୀରେ ବୁଡ଼ ଲଗେଇବାକୁ ପହଞ୍ଚିଛନ୍ତି। କାଟ୍ରିନା ମିଡ଼ିଆକୁ କହିଛନ୍ତି କି, ସେ ପୂରା ଦିନ ପ୍ରୟାଗରାଜରେ ରହିବେ। ପରମାର୍ଥ ନିକେତନରେ ସ୍ୱାମୀଜୀଙ୍କ ସହ କଥା ହେବେ ଏବଂ ଏହାର ମହତ୍ତ୍ୱ ବିଷୟରେ ଆଲୋଚନା କରିବେ। 

କାଟ୍ରିନା କୈଫ୍‌ଙ୍କ ସ୍ୱାମୀ ଭିକି କୌଶଳ ମହାକୁମ୍ଭ ବେଳେ ପ୍ରୟାଗରାଜ ଆସି ସଙ୍ଗମରେ ସ୍ନାନ କରି ସାରିଛନ୍ତି। ସେ ନିଜ ଫିଲ୍ମ ଛାଭା ର ରିଲିଜ୍‌ ପୂର୍ବରୁ ଆସି ଥିଲେ। ଏବେ ତାଙ୍କର ପତ୍ନୀ କାଟ୍ରିନା କୈଫ୍ ମଧ୍ୟ ସେଠାରେ ପହଞ୍ଚିଛନ୍ତି। କାଟ୍ରିନା ମହାକୁମ୍ଭକୁ ଆସିବାର ଅନୁଭବ ବିଷୟରେ ମିଡ଼ିଆକୁ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ ଯେ , ଏହି ସମୟରେ ଏଠାକୁ ଆସି ପାରିଛିମୁଁ ବହୁତ ଖୁସି ଅଛି। ଏହା ଖୁବ୍‌ ସୁନ୍ଦର ସ୍ଥାନ । ମୁଁ ଏହି ସମୟରେ ସ୍ୱାମିଜୀଙ୍କ ସହ ଅଛି । ତାଙ୍କ ସହ କଥା ହେଉଛି । ତାଙ୍କର ଆଶୀର୍ବାଦ ନେଉଛି। 


କାଟ୍ରିନାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ, ମହାକୁମ୍ଭରେ ସବୁଠୁ କଣ ଭଲ ଲାଗିଲା , ସେ କହିଲେ – ମୁଁ ଏବେ ଏଠାକୁ ଆସିଛି ତ ସେଥିପାଇଁ ମୋର ଅନୁଭବ ଏବେ ଆରମ୍ଭ ହେଉଛି। ଏଠାର ଯେଉଁ ଶକ୍ତି ଅଛି, ଏଠାର ଯେଉଁ ସୌନ୍ଦର୍ଯ୍ୟତା , ତାହା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ଏବେ ସ୍ୱାମୀଜୀଙ୍କ ସହ ବସିବି ଏବଂ କଥାବାର୍ତ୍ତା କରିବି। ଆଜି ତ ଏହାର ଆରମ୍ଭ , ଏଠାରେ ପୂରାଦିନ ବିତାଇବି।

ଅନ୍ୟପଟେ ଆଜି ଅଭିନେତା ଅକ୍ଷୟ କୁମାର ମଧ୍ୟ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପବିତ୍ର ବୁଡ଼ ଦେଇଛନ୍ତି। ମିଡ଼ିଆ ସହ କଥାବାର୍ତ୍ତାରେ ଅକ୍ଷୟ କୁମାର କହିଛନ୍ତି, ଏଠାକୁ ଆସି ବହୁତ ଭଲ ଲାଗିଲା। ଏଠାରେ ବହୁତ ଭଲ ବ୍ୟବସ୍ଥା ହୋଇଛି। ମୁଁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି।