ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ କେଇର ଷ୍ଟାରମର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ଆମେରିକାକୁ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ସହଯୋଗି କହିବା ସହିତ ୟୁକ୍ରେନକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଶାନ୍ତି ଚୁକ୍ତି ଯାଏ ୟୁକ୍ରେନର ସ୍ଥିତିକୁ ମଜବୁତ ରଖିବା ପାଇଁ ୟୁରୋପକୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। 

ଲଣ୍ଡନରେ ଅନ୍ୟ ୟୁରୋପୀୟ ତଥା ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସୁରକ୍ଷା ଶିଖର ସମ୍ମିଳନୀ ଶେଷ ହେବା ପରେ ଷ୍ଟାରମର ଏହି ଘୋଷଣା କରିଛନ୍ତି। “ଗତ ଶୁକ୍ରବାର ଦିନ ହ୍ୱାଇଟ ହାଉସରେ ଆୟୋଜିତ ହୋଇଥିବା ଆଲୋଚନା ବିଫଳ ହେବାକୁ କେହି ଚାହୁଁ ନାହାଁନ୍ତି। ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର ଭବେ କାର୍ଯ୍ୟ କରୁଛି। ସେଥିପାଇଁ ଆମେରିକାକୁ ଧନ୍ୟବାଦ। କିନ୍ତୁ ଶାନ୍ତି ବୁଝାମଣା ଯାଏ ୟୁରୋପିୟ ସଂଘ ୟୁକ୍ରେନକୁ ସହଯୋଗ କରିବ” ବୋଲି ସେ କହିଛନ୍ତି।  

ଷ୍ଟାରମର୍ ଆହୁରି କହିଛନ୍ତି ଯେ, “ଅନେକ ଦଶନ୍ଧି ଧରି ଆମେରିକା ବ୍ରିଟେନ୍ ର ଏକ ବିଶ୍ୱସ୍ତ ସହଯୋଗୀ ରହି ଆସିଛି ଓ ଆଗକୁ ଏହା ଜାରି ରହିବ। ଉଭୟ ଦେଶ ପରି ବିଶ୍ୱର ଅନ୍ୟ କୈାଣସି ଦୁଇଟି ଦେଶ ଏତେ ଘନିଷ୍ଠ ନୁହଁନ୍ତି।”

ଆମେରିକାର ସମର୍ଥନ ହାସଲ କରିବାର ଲକ୍ଷ୍ୟ ରଖି ମୁଁ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛି ବୋଲି ଷ୍ଟାରମର କହିଛନ୍ତି। ଏଣୁ ୟୁକ୍ରେନକୁ ୫୦୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଯୋଗାଇବା ପାଇଁ ବ୍ରିଟେନ ୟୁକ୍ରେନକୁ ୧.୬ ବିଲିୟନ ପାଉଣ୍ଡ (ପ୍ରାୟ ୨ ବିଲିୟନ ଆମେରିକୀୟ ଡଲାର)ର ସହାୟତା ରାଶି ପ୍ରଦାନ କରିବ ବୋଲି ସେ କହିଛନ୍ତି।

ନିଜକୁ ସୁରକ୍ଷା ଦେବା ପାଇଁ ୟୁରୋପକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ଷ୍ଟାରମର୍ ଏହି ବୈଠକରେ ଚେତାବନୀ ଦେଇଛନ୍ତି। ଏହା ସହ ୟୁକ୍ରେନକୁ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସମସ୍ତ ୟୁରୋପିୟ ସଂଘକୁ ଏକ ହେବାକୁ ପଡିବ ବୋଲି ସେ କହିଛନ୍ତି।