କେନ୍ଦ୍ରାପଡ଼ା ୦୬/୦୬: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ଆତ୍ମହତ୍ୟା ଘଟଣା । ମୃତ ଯୁବକ କେନ୍ଦ୍ରାପଡ଼ା ସହର ବାସୁଳାଇ ଗ୍ରାମର ଭରତ ଦାସଙ୍କ ପୁଅ ଶ୍ରୀଚନ୍ଦନ ଓରଫ କାଳିଆ (୨୭) । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାକୁ ଯିବାକୁ ଉଦ୍ଦିଷ୍ଟ ଶିଡ଼ି ରେଲିଂରେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଟାଉନ୍ ପୁଲିସ କାଳିଆଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପକ୍ଷରେ କାଳିଆଙ୍କ ମୃତ୍ୟୁ ପାଇଁ ସରକାରୀ ଅଧିକାରୀଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ । ଜମିଜମା ମାମଲାରେ ନ୍ୟାୟ ନପାଇ ସରକାରୀ ଅଧିକାରୀଙ୍କଠାରୁ ନିର୍ଯାତିତ ହେବା ପରେ କାଳିଆ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଶ୍ରୀମତୀ ସେଠୀ ଅଭିଯୋଗ ଆଣିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀ ଓ ସ୍ଥାନୀୟ ଲୋକଙ୍କ କହିବା କଥା, କାଳିଆଙ୍କ ଘର ନିକିରାଇ ଥାନା ଅଧୀନ ଡେରାବିଶ ବ୍ଲକ୍ର ବେଣୀପୁର ପଞ୍ଚାୟତ ରାଏତୁଣ୍ଡି ଗାଁରେ । ସେ ତାଙ୍କ ବାପାଙ୍କ ସହ ବାସୁଳାଇ ଗ୍ରାମରେ ଭଡ଼ାରେ ରହୁଥିଲେ । ସେ ଏକ ଜମିଜମା ମାମଲାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ । ଆଜି ମଧ୍ୟ ସେ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଓ ନ୍ୟାୟ ନ ପାଇ ନିରାଶ ହୋଇଥିଲେ । ଅପରାହ୍ନ ୩ଟା ପରେ ଅଫିସ୍ର କିଛି କର୍ମଚାରୀ ତାଙ୍କୁ ଷ୍ଟିଲ୍ ବାଡ଼ାରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି ପ୍ରଶାସନିକ ଅଧିକାରୀଙ୍କ ଦୋଷ ଥିଲେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ । ଏହି ଘଟଣାରେ ତାଙ୍କ ବାପା ଭରତ ଦାସ ରାତିରେ ଥାନାରେ ଏତଲା ଦେଇଛନ୍ତି । ପୁଅ ମୃତ୍ୟୁ ପଛରେ କାହାର ହାତ ରହିଛି, ତା’ର କାରଣ ଉନ୍ମୋଚନ କରାଯାଉ ବୋଲି ଦର୍ଶାଇଛନ୍ତି।
ଅଧିକ ପଢ଼ନ୍ତୁ :- କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା: ୧୫ ବର୍ଷ ପ୍ରେମ ସମ୍ପର୍କ ପରେ ହଠାତ୍ ଫାଟ, ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ