ଥିରୁଅନନ୍ତପୁରମ୍,୨୯।୧୦: କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ କାରକେଡ୍ ଦୁର୍ଘଟଣାର ସମ୍ମୁଖୀନ। ଏହି ଦୁର୍ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ କାରକେଡ୍‌ର ୫ଟି ଗାଡି ପରସ୍ପର ସହ ମାଡ଼ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ପଛକୁ ପଛ ଆସି ପାଞ୍ଚରୁ ଅଧିକା ଗାଡି ଧକ୍କା ହେଉଥିବା ଦେଖିବାକୁ ମିଳୁଛି।

ମୁଖ୍ୟମନ୍ତ୍ରୀ ତିରୁଅନନ୍ତପୁରମ ଆଡ଼କୁ ଯାଉଥିବାବେଳେ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାରକେଡ୍ ଆଗରେ ଗୋଟିଏ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ହଠାତ୍ ଗାଡିରେ ବ୍ରେକ୍ ଲଗାଇଥିଲେ। ଏହି ସମୟରେ କାରକେଡର ଅନ୍ୟ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଆସୁଥିବାରୁ ହଠାତ ଅଟକିପାରିନଥିଲା। ଫଳରେ ପଛକୁ ପଛ ଆସି ଗୋଟିଏ ପରେ ଗୋଟିଏ ୫ରୁ ଅଧିକା ଗାଡ଼ି ଧକ୍କା ହୋଇଥିଲା।

ଏହି ସମୟରେ ପୋଲିସ ଏସକର୍ଟ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଗାଡିର ପଛପଟରୁ ଧକ୍କା ଦେଇଥିଲା। ଏହା ପଛକୁ ପଛ ଗୋଟିଏ କମାଣ୍ଡୋ ଗାଡି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଧକ୍କା ହୋଇଥିଲା। ମୁଖ୍ୟମନ୍ତ୍ରୀ ଯେଉଁ ଗାଡିରେ ଯାଉଥିଲେ, ସେଥିରେ କୌଣସି ବଡ଼ କ୍ଷତି ହୋଇନଥିଲା ଏବଂ ସେ ସେହି ଗାଡିରେ ହିଁ ତାଙ୍କର ଯାତ୍ରା ଜାରି ରଖିଥିଲେ। ଅନ୍ୟ ଏସକର୍ଟ ଗାଡ଼ିଗୁଡ଼ିକ ବାମନାପୁରମରେ ଘଟଣାସ୍ଥଳରେ ଅଟକି ରହିଥିଲେ। ରିପୋର୍ଟ ଅନୁସାରେ, ଏହି ଘଟଣା ଥିରୁଅନନ୍ତପୁରମର ବାମନପୁରା ଅଞ୍ଚଳରେ ଘଟିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଜୟନ ସେଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା କୋଟାୟମ ଯାତ୍ରା ପରେ ଫେରୁଥିଲେ।