ନୂଆଦିଲ୍ଲୀ,୪।୫: ନିର୍ବାଚନ ଫଳାଫଳ ଭିତରେ କେରଳରେ ଏକ ଦଶକ ପରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ବା ୟୁଡିଏଫ୍ର ହେବାକୁ ଯାଉଛି ବଡ଼ ଧରଣର ବିଜୟ। ଅନୁମାନ କରାଯାଉଛି ଯେ, ବିରୋଧି ମେଣ୍ଟ ୧୦୦ ଆସନର ଲକ୍ଷ୍ୟ ପାଖରେ ପହଁଞ୍ଚି ପାରେ। ଏବେ ଏହି ଫଳାଫଳ ରାଜ୍ୟ ରାଜନୀତିର ଭବିଷ୍ୟତକୁ ନେଇ ଏକ ନୂଆ ବିତର୍କ ଆରମ୍ଭ କରିଛି। ଚର୍ଚ୍ଚା ହେଉଛି ଯେ, ୟୁଡିଏଫ୍ରୁ ପ୍ରାୟ ୭ ଜଣ ମହିଳା ବିଧାୟକ ବିଧାନସଭାରେ ପହଁଞ୍ଚି ପାରନ୍ତି। ଏଭଳି ସ୍ଥିତିରେ ଏହି ପ୍ରଶ୍ନ ଉଠୁଛି ଯେ, ଦେଶର ସର୍ବାଧିକ ସାକ୍ଷରତା ହାର ଥିବା କେରଳକୁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଏଥର ମିଳିବ ତ ? ଯଦି ଏଭଳି ହୁଏ ତେବେ ୟୁଡିଏଫ୍ ପାଖରେ ନିଜର ୪୦ ବର୍ଷ ପୁରୁଣା ଭୁଲକୁ ସୁଧାରିବାର ସୁଯୋଗ ମିଳିଯିବ।
ୟୁଡିଏଫ୍ର ଏହି ଭୁଲ ବିଷୟରେ ଯଦି କଥା ହେବା ତେବେ, କେ.ଆର ଗୌରି ଆମ୍ମାଙ୍କ କଥା ପ୍ରଥମେ ଆସିବ। ଗୌରି ଆମ୍ମା ରାଜନୀତିରେ ମହିଳାଙ୍କ ପାଇଁ ପାଲଟିଥିଲେ ବଡ଼ ପ୍ରେରଣା। ସେ ରାଜ୍ୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାପରେ ୧୯୮୭ ରେ ଆଶା କରାଯାଇଥିଲା ଯେ, ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ, କିନ୍ତୁ ଶେଷ ସମୟରେ ତାଙ୍କୁ ପଦ ମିଳିପାରିନଥିଲା। ଏହି ନିଷ୍ପତ୍ତିକୁ ଆଜି ଏକ ‘ଐତିହାସିକ ଭୁଲ’ ବୋଲି କୁହାଯାଉଛି ଓ ଏବେ ୟୁଡିଏଫ୍ ପାଖରେ ଏହି ଋଣ ପରିଶୋଧ କରିବାର ସୁଯୋଗ ରହିଛି।
ଇତିହାସକୁ ଯଦି ଯିବା ତେବେ କେରଳରେ ମହିଳାଙ୍କୁ ଅଧିକାଂଶ ସଫ୍ଟ ମନେକରାଯାଉଥିବା ଡିପାର୍ଟମେଣ୍ଟ ହିଁ ଦିଆଯାଇଛି। ୧୯୫୭ ରେ ଆର ଗୌରି ଆମ୍ମାଙ୍କୁ ରେଭିନ୍ୟୁ ଓ ଏକ୍ସାଇଜ୍ ବିଭାଗ ମିଳିଥିଲା। ଏହାପରେ ୧୯୬୭ ରେ ତାଙ୍କୁ ରେଭିନ୍ୟୁ, ଫୁଡ୍ ଓ ସିଭିଲ ସପ୍ଲାଇ, ୧୯୮୦ ରେ ଏଗ୍ରୀକଲଚର ଓ ସୋସିଆଲ ଓ୍ବେଲଫେୟାର, ୧୯୮୭ ରେ ଇଣ୍ଡଷ୍ଟ୍ରୀଜ୍, ସୋସିଆଲ ଓ୍ବେଲଫେୟାର ଓ ଏକ୍ସାଇଜ୍ ଭଳି ବିଭାଗ ମିଳିଛି। କିଛି ଅନ୍ୟ ମହିଳାଙ୍କ ବିଷୟରେ ଯଦି କଥା ହେବା ତେବେ ଏମ କମଲମ ୧୯୮୨ ରେ କୋ-ଅପରେସନ୍ ଓ ଏସ୍ସି-ଏସ୍ଟି ଓ୍ବେଲଫେୟାର, ଏମ୍ଟି ପଦ୍ମାଙ୍କୁ ୧୯୯୧ ରେ ଫିସରିଜ୍, ସୁଶୀଲା ଗୋପାଳନଙ୍କୁ ୧୯୯୬ ରେ ଇଣ୍ଡଷ୍ଟ୍ରୀଜ୍, ପିକେ ଶ୍ରୀମତିଙ୍କୁ ୨୦୦୬ ରେ ସ୍ବାସ୍ଥ୍ୟ ଭଳି ବିଭାଗ ମିଳିଛି। ସେଭଳି କେକେ ଶେଲଜା ୨୦୧୬ ରେ ହେଲଥ୍ ଓ ସୋସିଆଲ ଜଷ୍ଟିସ୍, ଭିନା ଜର୍ଜଙ୍କୁ ୨୦୨୧ ରେ ହେଲଥ୍, ଆର ବିନ୍ଦୁଙ୍କୁ ୨୦୨୧ ରେ ଉଚ୍ଚଶିକ୍ଷା ପାଇଁ ଦାୟିତ୍ବ ମିଳିଥିଲା।
କେରଳରେ ୟୁଡିଏଫ୍ ଭିତରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିଡି ସତୀଶନ୍ ଓ ରମେଶ ଚେନ୍ନିଥଲ୍ଲାଙ୍କ ଭଳି ନାଁ ଚର୍ଚ୍ଚାରେ ରହିଛି। ତେବେ କଂଗ୍ରେସ ହାଇ କମାଣ୍ଡ ଏହାକୁ ନେଇ ଅଲଗା ସଙ୍କେତ ଦେଇଛନ୍ତି। ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ବହୁବାର ‘ବଏଜ୍ କ୍ଲବ’ ରାଜନୀତି ଶେଷ କରିବା କଥା କହିସାରିଛନ୍ତି। ରାହୁଲ ନିଜେ କହିଥିଲେ, କେରଳକୁ ଆଗକୁ ଯିବା ପାଇଁ ଏବେ ଶୀର୍ଷ ସ୍ତରରେ ମହିଳାଙ୍କ ନେତୃତ୍ବ ଜରୁରୀ। ଏଭଳି ସ୍ଥିତିରେ କୌଣସି ମହିଳା ଚେହେରାଙ୍କୁ ଆଗକୁ ଆଣିବା ଉପରେ ବିଚାର ହୋଇପାରେ। ମହିଳା ପ୍ରାର୍ଥୀଙ୍କ ଭିତରେ ଆଡଭୋକେଟ୍ ଫାତିୟା ତାହାଲିୟାଙ୍କ ଭଳି ନେତାଙ୍କର ଚର୍ଚ୍ଚା ହେଉଛି। ସେ ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ୍ର ନୂଆ ପରିଚୟ ପାଲଟି ସାମନାକୁ ଆସିଛନ୍ତି। ତାଙ୍କୁ ଯଦି ଆଇନ କିମ୍ବା ଶିକ୍ଷା ଭଳି ବଡ଼ ବିଭାଗ ମିଳେ ତେବେ ଏହା ପାର୍ଟିର ଛବିରେ ବଡ଼ ପରିବର୍ତ୍ତନ ବୋଲି କୁହାଯାଇ ହେବ। ବିଶେଷଜ୍ଞଙ୍କ ମତରେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଆଶା କମ୍ ରହିଛି, ଯଦି ମୁଖ୍ୟମନ୍ତ୍ରୀ ପଦ ମହିଳାଙ୍କୁ ନମିଳେ, ତେବେ ଅତି କମରେ ଅନ୍ୟ କୌଣସି ବଡ଼ ପଦ ମିଳିପାରେ।