ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଚା’ପିଇବାକୁ ଖୁବ୍‌ ଭଲ ପାଇଥାନ୍ତି । ପ୍ରାୟ ଲୋକ କ୍ଷୀର ଚା’ପିଇବାକୁ ପସନ୍ଦ କରୁଥିବା ବେଳେ ଅନେକ ବିନା କ୍ଷୀରରେ ଚା’ପସନ୍ଦ କରିଥାନ୍ତି । ଏମିତି କେତେକ ଚା’ରହିଛି, ଯାହା ବ୍ୟକ୍ତିକୁ ଅନେକ ରୋଗରୁ ଦୂରେଇ ରଖିଥାଏ । ସେଥିମଧ୍ୟରୁ ଅନ୍ୟତମ ହେଉଛି କେଶର ଚା’ । ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ଯତ୍ନଶୀଳ ହେବା ସହଜ ହେଉନାହିଁ । ତେଣୁ ଲୋକମାନେ ବାଧ୍ୟ ହୋଇ ସୁସ୍ଥ ରହିବା ପାଇଁ ସହଜ ବାଟ ଖୋଜିବାରେ ଲାଗିଛନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବା ସହ ସହଜରେ ଉପଲବ୍ଧ ହୋଇପାରିବ । ସହଜ ଉପଲବ୍ଧ ପାଇଁ ଭାରତୀୟଙ୍କ ରୋଷେଇ ଘରଠାରୁ ଭଲ ଜାଗା ଆଉ କେଉଁଠି ନାହିଁ । ଏଠାରେ ଏମିତି ଅନେକ ମସଲା ମିଳିଥାଏ, ଯାହା ବ୍ୟକ୍ତିକୁ ସୁସ୍ଥ ରଖିବାରେ ଖୁବ୍‌ ସହାୟକ ହୋଇପାରିବ । ଏମିତି ଏକ ମସଲା ହେଉଛି କେଶର । ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ହିତକାରୀ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରାଯାଇଥାଏ । ଯଦି ଏହାକୁ ନେଇ ଚା’ ପ୍ରସ୍ତୁତି କରାଯାଏ, ତେବେ ଶରୀରକୁ ଖୁବ୍‌ ଫାଇଦା ମିଳିପାରିବ । ଯେପରିକି

 ମଜଭୁତ ହେବ ଇମ୍ୟୁନିଟି

କେଶରରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟସ୍‌ ରହିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ବିଶେଷକରି ଋତୁ ବଦଳିବା ସମୟରେ କେଶର ଚା’ ପିଇବା ଦ୍ୱାରା ଥଣ୍ଡା-କାଶ ଓ ଭାଇରାଲ୍‌ ଜ୍ୱର ଆଦିର ଆଶଙ୍କାକୁ କମ୍‌ କରାଯାଇପାରିବ । ଯଦି ସମ୍ଭବ ନିୟମିତ ସକାଳେ କିମ୍ବା ରାତିରେ ମଧ୍ୟ କେଶର ଚା’ ପିଇପାରିବେ ।

ଚେହେରାରେ ଚମ୍‌କ ଆଣେ କେଶର

 ଚା’ ପିଇବା ଦ୍ୱାରା ତ୍ୱଚାରେ ଚମ୍‌କ ଆସିଥାଏ । କେଶରରେ ଥିବା ଭିଟାମିନ୍‌-ବି' ତ୍ୱଚାର ଟେକ୍ସଚରରେ ପରିବର୍ତ୍ତନ ଆଣିଥାଏ । 

ମୁଡ୍‌କୁ ଭଲ ରଖେ

ଯଦି ଲଗାତାର ଚିନ୍ତାରେ ରହୁଥାନ୍ତି, ତେବେ କେଶର ଚା’ ପିଇବା ଦ୍ୱାରା ମୁଡ୍‌ ଭଲ ରହିଥାଏ । ଏଥିରେ ଥିବା ଗୁଣ ମସ୍ତିଷ୍କକୁ ଚିନ୍ତାମୁକ୍ତ କରିବା ସହ ମୁଡ୍‌କୁ ଭଲ କରିଥାଏ । କେଶର ଅବସାଦ ଓ ଆଙ୍ଗଜାଇଟିର ଲକ୍ଷଣକୁ ମଧ୍ୟ କମ୍‌ କରିଥାଏ ।

ଆଖିର ରଶ୍ମୀକୁ ବଢାଏ

ଯଦି ପିଲାମାନଙ୍କ ଆଖିକୁ କମ୍‌ କିମ୍ବା ଜାଲଜାଲୁଆ ଦେଖା ଯାଉଥାଏ, ତେବେ କେଶର ଚା’ ପିଇବା ଦ୍ୱାରା ଆଖିର ରଶ୍ମୀରେ ସୁଧାର ଆସିଥାଏ । କିନ୍ତୁ ପିଲାକୁ ସୀମିତ ମାତ୍ରାରେ କେଶର ଚା’ ଦେବା ଉଚିତ୍‌ । 

ସନ୍ତୁଳିତ ରଖେ ହର୍‌ମୋନ୍‌

କେଶର ଚା’ ବିଶେଷକରି ମହିଳାମାନଙ୍କ ପାଇଁ ବେଶୀ ଲାଭପ୍ରଦ । ଏହା ହର୍‌ମୋନ୍‌କୁ ସନ୍ତୁଳିତ ରଖିବାରେ ବେଶ୍‌ ସହାୟକ ହୋଇଥାଏ । ପିରିୟଡ୍‌ ପୂର୍ବରୁ ହେଉଥିବା ହର୍‌ମୋନାଲ୍‌ ପରିବର୍ତ୍ତନ, ମୁଡ୍‌ ସ୍ୱିଇଂ ଓ ଯନ୍ତ୍ରଣାରୁ ମୁକ୍ତିଦିଏ ।