ପୁରୀ,୨୯/୦୩: ଖଜା ବ୍ୟବସାୟକୁ କେନ୍ଦ୍ର କରି  ବ୍ୟବସାୟୀଙ୍କୁ ଖଣ୍ଡା ଚୋଟ ମାମଲାରେ ଦୁଇ ଜଣଙ୍କୁ ବାନ୍ଧିଲା  ଟାଉନ୍‌ ଥାନା ପୁଲିସ । ଉଭୟ ହେଲେ ଗୋଖାସାହିର ପିଣ୍ଟୁନା  ବେହେରା(୨୭) ଓ ବଳିଆ ବେହେରା(୨୪) । ଶୁକ୍ରବାର ଦୁଇ  ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ  ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଥିବା କହିଛନ୍ତି ଆଇଆଇସି  ଗୋକୁଳ ରଞ୍ଜନ ଦାସ । ଉଭୟଙ୍କଠାରୁ ୨ଟି ଖଣ୍ଡା ଜବତ  କରାଯାଇଛି । ନାଲିଟୋପା ନାଁରେ ପରିଚିତ ମାଟିତୋଟାର ଓମ୍‌  ବାରିକ ଓରଫ ଶିବା(୧୯) ସହ ମିଶି ଏହି ଦୁଇଜଣ ଏଭଳି କାଣ୍ଡ  ଘଟାଇଥିଲେ ବୋଲି ପୁଲିସ କହିଛି । ମାମଲାରେ  ଏକାଧିକ ଅଭିଯୁକ୍ତ ଫେରାର୍‌ ଥିବା ବେଳେ ପୁଲିସ  ସେମାନଙ୍କୁ ଖୋଜୁଛି । ଅନ୍ୟପଟେ ଆହତ ନାବାଳକ ମାଟିତୋଟା  ପ୍ରଧାନ ସାହିର ନୃସିଂହ ସାମର୍ଥା ଓରଫ କାହ୍ନା(୧୮)ଙ୍କ ଅବସ୍ଥା  ଏବେ ବି ସଙ୍ଗିନ ଥିବା ସୂଚନା ମିଳିଛି ।

ନାଲିଟୋପା ଓ କାହ୍ନା ଦୁହେଁ ଶ୍ରୀମନ୍ଦିର ନିକଟରେ  ଠେଲାଗାଡ଼ିରେ ଖଜା ବ୍ୟବସାୟ କରନ୍ତି । ବ୍ୟବସାୟିକ ବିବାଦ ଥିବାବେଳେ ନାଲିଟୋପାଠାରୁ କାହ୍ନା କିଛି ଟଙ୍କା ପାଇବାର ଥିଲା ବୋଲି ପରିବାର ଲୋକେ କହିଛନ୍ତି । କାହ୍ନାଙ୍କ ଭାଇ କୃଷ୍ଣଚନ୍ଦ୍ର ସାମର୍ଥା ଏତଲାରେ ଉଲ୍ଲେଖ କରିଛନ୍ତି, ଗତ ୨୬ ତାରିଖ  ରାତିରେ ଖଡ଼ିପଦା ମେଳଣ ଦେଖିବାକୁ କହି କାହ୍ନାକୁ ଘରୁ ଡାକି ନେଇଥିଲେ । ଶ୍ରୀକୃଷ୍ଣ ସିନେମା ହଲ୍‌ ଗଳିରେ ତାଙ୍କୁ ନାଲିଟୋପା ଓ ତା’ ସହଯୋଗୀମାନେ ଅତି ନୃଶଂସ ଭାବେ  ହାଣିଥିଲେ । ମୁଣ୍ଡ, ମୁହଁ, ହାତ, ଛାତି ଓ ପିଠିରେ ଏକାଧିକ ଚୋଟ ବାଜିଥିଲା । ମୁମୂର୍ଷୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଥିଲା । ଏବେ ସେ ଭୁବନେଶ୍ୱରସ୍ଥିତ ଏକ  ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ପୁଲିସ ନଜରରେ ନାଲିଟୋପା ଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି  ଆଇଆଇସି ଗୋକୁଳ ରଞ୍ଜନ ଦାସ । ନାଲିଟୋପା ଓ ତା’ ଅନ୍ୟ  ସହଯୋଗୀ ଖୁବ୍‌ଶୀଘ୍ର ବନ୍ଧା ହେବେ ବୋଲି ସେ କହିଛନ୍ତି ।