ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ । ମେଲବର୍ଣ୍ଣରେ ଭାରତୀୟ କନସୁଲେଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ ଖଲିସ୍ତାନ ସମର୍ଥକ । ଶତାଧିକ ଖାଲିସ୍ତାନ ସମର୍ଥକ ସେଠାରେ ପହଞ୍ଚି ଭାରତ ବିରୋଧରେ ସ୍ଲୋଗାନ ଦେଇ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହା ଫଳରେ ସେଠାରେ ଉପସ୍ଥିତ ଭାରତୀୟ ଏବଂ ଖାଲିସ୍ତାନୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଅଷ୍ଟ୍ରେଲିଆ ଟୁଡେର ରିପୋର୍ଟ ଅନୁସାରେ, ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ବହୁ ସଂଖ୍ୟକ ଲୋକ କନସୁଲେଟରେ ଏକତ୍ରିତ ହୋଇଥିଲେ । କାର୍ଯ୍ୟକ୍ରମ ଭଲ ଚାଲିଥିଲା । ଏତିକି ବେଳେ ଖଲିସ୍ତାନୀମାନେ ସେଠାରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଭାରତୀୟ ନାଗରିକ ଏବଂ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । କିନ୍ତୁ ପୁଲିସ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣ କରିଥିଲା । ଏନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ ଟୁଡେ ଏହି ଘଟଣାର ଭିଡିଓ ସେୟାର କରିଛି । ଏହି ଭିଡିଓରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ଦେଖିବାକୁ ମିଳିଛି । ପୁଲିସ ଅଧିକାରୀମାନେ ଲୋକଙ୍କୁ ଭିଡ଼ ଭିତରୁ ବାହାରକୁ ଆଣି ପରିସ୍ଥିତି ନିୟନ୍ତ୍ରଣ କରୁଥିବା ଦେଖାଯାଇଛି ।
ସେପଟେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ଭାରତକୁ ୭୯ତମ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଇଛନ୍ତି। ଆଲବାନିଜ୍ କହିଛନ୍ତି ଯେ, ଏକ ଅଟଳ ବନ୍ଧୁ ଭାବରେ, ଅଷ୍ଟ୍ରେଲିଆ ମଧ୍ୟ ଭାରତର ସଫଳତାକୁ ପାଳନ କରେ । ସେ ଅଷ୍ଟ୍ରେଲିଆରେ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ପ୍ରଶଂସା କରି ଦୁଇ ଦେଶ ମଧ୍ୟରେ ସମ୍ମାନ ଏବଂ ବନ୍ଧୁତା ଉପରେ ଆଧାରିତ ଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ନିକଟ ଅତୀତରେ ଖଲିସ୍ତାନୀ ତତ୍ତ୍ୱ ଅଧିକ ସକ୍ରିୟ ହୋଇଛି। ଅଷ୍ଟ୍ରେଲିଆ ପୂର୍ବରୁ କାନାଡା ଏବଂ ଆମେରିକାରେ ଖଲିସ୍ତାନ ସମର୍ଥକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । କାନାଡା ଏବଂ ଭାରତ ସମ୍ପର୍କରେ ଉତ୍ତେଜନାର ସବୁଠାରୁ ବଡ଼ କାରଣ ପାଲଟିଛନ୍ତି ଖଲିସ୍ତାନୀ। ଏବେ ଅଷ୍ଟ୍ରେଲିଆରେ ମଧ୍ୟ ଖଲିସ୍ତାନୀମାନେ ନିଜର ପ୍ରଭାବ ବିସ୍ତାର କରୁଛନ୍ତି । ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ।