ନୂଆଦିଲ୍ଲୀ,୧।୩: ଇରାନର ସୁପ୍ରିମ ଲିଡର ଆୟାତୁଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ବଭିନ୍ନ ଦେଶରେ ଆମେରିକା ବିରୋଧରେ ବିକ୍ଷୋଭ ଆରମ୍ଭ ହୋଇଛି। ଏହା ଭିତରେ ପାକିସ୍ତାନରୁ ଆସିଛି ବଡ଼ ଖବର। ପାକିସ୍ତାନର କରାଚୀରେ ଘଟିଛି ହିଂସାକାଣ୍ଡ। ଖାମେନେଇଙ୍କ ମୃତ୍ୟୁରେ ଲୋକେ ଉତ୍ୟକ୍ତ ହୋଇ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଏହାପରେ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକମାନେ ପ୍ରଥମେ ଦୂତାବାସରେ ଭଙ୍ଗାରୁଜା କରିଥିଲେ ଏବଂ ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ସୂଚନା ପାଇବା ପରେ, ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ବଳ ପ୍ରୟୋଗ କରି ଭିଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ।
କୁହାଯାଉଛି ଯେ, ଉତ୍ୟକ୍ତ ଲୋକେ ପଥରମାଡ଼ କରିଥିଲେ। ଏହାପରେ ପୋଲିସର ପାଲଟା ଜବାବରେ ୮ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ରୁ ଅଧିକ ଆହତ ହୋଇଛନ୍ତି। ଦୂତାବାସ ଚାରିପାଖରେ ଏବେ ବି ଭିଡ଼ ରହିଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କରାଚୀରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରଦର୍ଶନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ପ୍ରଦର୍ଶନକାରୀମାନେ ଖାମେନେଇଙ୍କ ଫଟୋ ଧରି ଆମେରିକୀୟ ବିରୋଧୀ ସ୍ଲୋଗାନ ଦେଉଥିବାର ଦେଖାଯାଉଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ,ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ ଏବଂ ଲାଠିଚାର୍ଜ କରିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କରାଚୀର ସିଭିଲ୍ ହସ୍ପିଟାଲକୁ ନିଆଯାଇଛି। ସିନ୍ଧ ପ୍ରଦେଶର ଗୃହମନ୍ତ୍ରୀ ଜିୟଉଲ ଦୈନିକ ପାକିସ୍ତାନ ଗଣମାଧ୍ୟମ ରିପୋର୍ଟରେ ଦାବି କରିଛନ୍ତି ଯେ, ପୁଲିସର ପାଲଟା ଜବାବରେ ୮ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି। କରାଚୀ ପରେ ପାକିସ୍ତାନର ଅନ୍ୟ ସହରରେ ପ୍ରତିବାଦ ବ୍ୟାପିବା ଜଣାପଡୁଛି। ଲାହୋର, ପେଶାୱାର ଏବଂ ରାୱଲପିଣ୍ଡିରେ ମଧ୍ୟ ସିଆ ମୁସଲିମ୍ ରାସ୍ତାକୁ ଓହ୍ଲାଇଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଉଲ୍ଲେଖନୀୟ ଯେ, ଶନିବାର ଇସ୍ରାଏଲ ଏବଂ ଆମେରିକା ଏକକାଳୀନ ଇରାନର ରାଜଧାନୀ ତେହେରାନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ଖାମେନେଇ ତାଙ୍କ ଝିଅ ଏବଂ ଜ୍ୱାଇଁଙ୍କ ସମେତ ପରିବାରର ବହୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଟ୍ରମ୍ପ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଥିଲେ। କିନ୍ତୁ ଇରାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଶେଷରେ ରବିବାର ଇରାନ ମଧ୍ୟ ଖାନେଇଙ୍କ ମୃତ୍ୟୁକୁ ସୁନିଶ୍ଚିତ କରିଥିଲା, ଯାହା ଫଳରେ ଭାରତ, ପାକିସ୍ତାନ ଏବଂ ଅନ୍ୟାନ୍ୟ ଅନେକ ଦେଶରେ ଆମେରିକା ବିରୁଦ୍ଧରେ ପ୍ରତିବାଦ ପ୍ରକାଶ ପାଇଛି।