ଭୁବନେଶ୍ୱର,୦୬/୦୧: ପଡ଼ିଆରେ ମାଟି ପଡୁଛି । ସମତୁଲ କରାଯାଉଛି । ଲାଗିଛନ୍ତି ଶ୍ରମିକ । କେମିତି ଯାତ୍ରା ପୂର୍ବରୁ ମଞ୍ଚ କାମ ସରିବ ସେଥିପାଇଁ କମିଟି ବି ଜଗିଛନ୍ତି । କେବଳ ସେତିକି ନୁହେଁ, ରାସ୍ତା ପାର୍ଶ୍ବରେ ବ୍ୟାନର ବନ୍ଧାଗଲାଣି । ଗୋଟିଏ ପଟେ ଯାତ୍ରା ସମ୍ରାଟ ତୁଳସୀକୁ ଅନ୍ୟପଟେ ଅଶୋକ ସମ୍ରାଟ । ବ୍ୟାନର ଦେଖି ଯାତ୍ରାପ୍ରେମୀ ବି ଉତ୍ସାହିତ ।

ଆସନ୍ତା ୨୫ରେ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ସପ୍ତମୀରୁ ମନ୍ତ୍ରରେ କମ୍ପିବ ଖଣ୍ଡଗିରି । ଏଥିସହ ଖଣ୍ଡଗିରି ଯାତ୍ରା ମହାସମର ମଧ୍ୟ ଚାଲିବ । ଯାତ୍ରା ପାଇଁ ଏବେ ଚାଲିଛି କମିଟି ମଧ୍ୟରେ କସରତ । ତେବେ ଯାତ୍ରାକୁ ଆହୁରି ଢେର ଦିନ ବାକି ଥିବା ବେଳେ ଏବେଠୁ ମଞ୍ଚ ସ୍ଥଳ(ପଡ଼ିଆ) ମରାମତି ଆରମ୍ଭ ହେଲାଣି । ଖଣ୍ଡଗିରି ପାଖରେ ଥିବା ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲ ପଡ଼ିଆକୁ ମାଟି ପକାଇ ସମତୁଲ କରାଯାଉଛି । ଖଣ୍ଡଗିରି ଯାତ୍ରା ପୂର୍ବରୁ ଏସବୁ କାମ ସରିବ । ଆଗକୁ ମଞ୍ଚ ବନ୍ଧା ଯିବ ବୋଲି ହରେକୃଷ୍ଣ ମହତାବ ପେଣ୍ଡାଲର ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି ।

ପ୍ରକାଶ ଥାଉକି, ଚଳିତ ଖଣ୍ଡଗିରି ଯାତ୍ରା ମହାସମରରେ ଭାଗ୍ୟ ପରୀକ୍ଷା କରିବେ ମୋଟ ୧୨ଟି ଅପେରା ପାର୍ଟି । ସେଥିମଧ୍ୟରେ ଅଶୋକ ସମ୍ରାଟ, ତୁଳସୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଅପେରା ସୂର୍ଯ୍ୟମନ୍ଦିର, ଯାତ୍ରା ରାଣୀ ସିଂହବାହିନୀ, ଶିବାନୀ ଗଣନାଟ୍ୟ, ଅପେରା ସ୍ୱର୍ଣ୍ଣ ମହଲ, ରଙ୍ଗମହଲ, ନାଟ୍ୟମଣ୍ଡପ, ରାଜ ଦରବାର, ବିଶ୍ୱ ଦରବାର ଓ ନୂଆକରି ଗଢ଼ାଯାଇଥିବା ଶ୍ରୀମନ୍ଦିର ଭଳି ଆଗଧାଡ଼ିର ପାର୍ଟି ରହିଛନ୍ତି । ତେବେ ଆଇଗିଣିଆ ହରେକୃଷ୍ଣ ମହତାବ ପେଣ୍ଡାଲରେ ଅଶୋକ ସମ୍ରାଟ ଓ ତୁଳସୀ ଗଣନାଟ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବେ ।

ଘାଟିକିଆ ସନାତନ ସେବା ସଦନ ମଞ୍ଚରେ କୋଣାର୍କ ଓ ଅପେରା ସୂର୍ଯ୍ୟମନ୍ଦିର, ଜାଗମରା ଇନ୍ଦିରା ସାଂସ୍କୃତିକ ମଞ୍ଚରେ ସିଂହବାହିନୀ, ଶିବାନୀ, ଜାଗମରା ମା' ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ମଞ୍ଚରେ ସ୍ୱର୍ଣ୍ଣମହଲ, ରଙ୍ଗମହଲ, ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ବିଶ୍ୱଦରବାର, ଶ୍ରୀମନ୍ଦିର ଓ ବରମୁଣ୍ଡା ବାବା ନୀଳକଣ୍ଠେଶ୍ୱର ଯାତ୍ରା କମିଟି ମଞ୍ଚରେ ନାଟ୍ୟମଣ୍ଡପ, ରାଜଦରବାର ପାର୍ଟି ଯାତ୍ରା ପରିବେଷଣ କରିବେ । ସବୁ ଯାତ୍ରା ପାର୍ଟି ପର୍ଯ୍ୟାୟକ୍ରମେ ଯାତ୍ରା ପରିବେଷଣ କରିବେ ବୋଲି ବିଭିନ୍ନ କମିଟି ପକ୍ଷରୁ ସୂଚନା ମିଳିଛି ।