ଭୁବନେଶ୍ୱର,୨୫/୦୧: ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଛି । ଜାଗମରା ଠାରୁ ମୁଣ୍ଡିଆ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ଦିଆଯାଇଛି । ପୁରା ମେଳା ପରିସର ଝଲସି ଉଠୁଛି ।
ଠାକୁର ଅନନ୍ତ କେଶରୀ ଦେବ ସନ୍ଧ୍ୟା ୭ଟାରେ ଜାଗମରା ନାଗା ମଠରୁ ସୁସଜ୍ଜିତ ବିମାନରେ ବାହାରିବେ । ବିଭିନ୍ନ ବାଜା, ରୋଷଣୀ ମାଧ୍ୟମରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଉଦୟଗିରିସ୍ଥିତ ରାଣୀହଂସପୁରରେ ବିଜେ କରି ମାଘସ୍ନାନ କରିବେ । ପୁଣି ରାତିରେ ନାଗା ମଠକୁ ଫେରି ଆସିବେ । ଠାକୁରଙ୍କ ଏହି ଯାତ୍ରା ସମୟରେ ଆଖି ଝଲସା ଆତସବାଜୀ ପ୍ରଦର୍ଶନର ମଧ୍ୟ ଆୟୋଜନ କରାଯାଇଛି । ଠାକୁରଙ୍କ ଏହି ଯାତ୍ରାକୁ ପ୍ରଭୁ ଅନନ୍ତକେଶରୀ କମିଟି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ବିଏମ୍ସି ଏହି ମେଳାରୁ କୋଟିଏରୁ ଅଧିକ ଟଙ୍କା ରାଜସ୍ୱ ଆଦାୟ କରୁଥିବା ବେଳେ ଠାକୁରଙ୍କ ଏହି ଯାତ୍ରା ପାଇଁ ୪ ଲକ୍ଷ ଟଙ୍କା ପ୍ରଦାନ କରିଛି । କିନ୍ତୁ କମିଟି ଠାକୁରଙ୍କ ଏହି ଯାତ୍ରା ପାଇଁ ପ୍ରାୟ ୮ ଲକ୍ଷରୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ସେପଟେ ଠାକୁରଙ୍କ ଯାତ୍ରା ପାଇଁ ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ରାସ୍ତାର ଉଭୟପଟରେ ଲୁହା ବ୍ୟାରିକେଡ୍ ଖଞ୍ଜା ଯାଇଛି ।
ଆହୁରି ପଢ଼ନ୍ତୁ:- ଯାତ୍ରା ପାଇଁ ଆସିଲା ମାର୍ଗଦର୍ଶିକା: ଅଶ୍ଲୀଳ ନୃତ୍ୟ କଲେ ଗିରଫ ହେବେ କଳାକାର ଏବଂ ଆୟୋଜକ, ପେଣ୍ଡାଲ ପାଖରେ ଦୋକାନ ମନା
ସେପଟେ ଦୂରଦୂରାନ୍ତରୁ ଆସିଥିବା ସାଧୁସନ୍ଥମାନେ ସକାଳେ ଏଠାରେ ପଞ୍ଚକୁଣ୍ଡର ପବିତ୍ର ଜଳରେ ସ୍ନାନକରି ହୋମଯଜ୍ଞ ସହ ଭଜନ କୀର୍ତ୍ତନ କରିବେ । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ନିକଟରେ ଅଖଣ୍ଡ ଦୀପ ଲାଗିବା ସହିତ ଗୁମ୍ଫା ସଂଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆରମ୍ଭ ହେବ । ଆଜିଠୁ ମଧ୍ୟ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହେବ । ମେଳାପାଇଁ ଅପେରା ପାର୍ଟି ଗୁଡ଼ିକର ଟେଣ୍ଟ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଜାତୀୟ ରାଜପଥର ଉଭୟ ପାର୍ଶ୍ବ ବ୍ୟାନର୍ ଓ ହୋର୍ଡିଂ ଛାଇ ଗଲାଣି ।