ଭୁବନେଶ୍ବର,୨୭/୧ : ଖଣ୍ଡଗିରି ଯାତ୍ରାରେ କମିଲା ସିଟ୍ ସଂଖ୍ୟା । ଦର୍ଶକଙ୍କ ପାଇଁ କମିଲା ସିଟ୍ । ଏଥର ୧୮୦୦ସିଟକୁ ମିଳିଲା ଅନୁମତି । ଭିଡ଼କୁ ଦେଖି ନିଆଯାଇଛି ଏହି ନିଷ୍ପତ୍ତି। ମଞ୍ଚର ପରିସୀମା ଦେଖି ଦିଆଯାଇଛି ଲାଇସେନ୍ସ । ଆହୁରି କମିପାରେ ସିଟ୍ ସଂଖ୍ୟା । ଗୋଟିଏ ଲାଇନରୁ ଅନ୍ୟ ଲାଇନ୍ ଚେୟାରକୁ ଦୂରତା ୩ଫୁଟ ରଖିବାକୁ ନିର୍ଦେଶ ଦିଆଯାଇଛି । ଭୁବନେଶ୍ବର ଡିସିପି ଗାଇଡଲାଇନ୍ ଯାଞ୍ଚ କରିବେ । ଗତ ୨୫ରେ ପୋଲିସ ଦେଇଥିଲେ ୧୪ସୂତ୍ରୀ ଗାଇଡଲାଇନ୍ ।
ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ ଯାତ୍ରା ମଞ୍ଚସ୍ଥ ପାଇଁ ସବୁ ପ୍ରସ୍ତୁତି ସରିଛି । ୨୭ରୁ ୭ତାରିଖ ଯାଏ ଚାଲିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ । ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ନାମକରା ଅପେରା ପାର୍ଟି ନାଟକ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ । ଏ ବର୍ଷ ଡ଼ଃ ହରେକୃଷ୍ଣ ମହତାବ ସାସ୍କୃତିକ ପରିଷଦ, ଆଇଗିଣିଆ ମଞ୍ଚରେ ଅପେରା ‘ଅଶାକ ସମ୍ରାଟ’ ପ୍ରଥମେ ମଇଦାନକୁ ଓହ୍ଲାଉଛି । ପାର୍ଟି ତା’ର ବହୁ ଚର୍ଚ୍ଚିତ ନାଟକ ‘ଅଧା ରହିଗଲା ଆମ କାହାଣୀ’ ମଂଚସ୍ଥ କରିବ । ଏଥିରେ ଅଭିନେତା ମିଲନ, ସିନେ ଅଭିନେତା ଅଙ୍କିତ, ଖଳନାୟକ ମନୋଜ, କମେଡିଆନ ଗଣେଶ, ଅଭିନେତ୍ରୀ ସାରା ଓ ଖଳନାୟିକା ସରୋଜିନୀ ଭଳି କଳାକାର ଅଭିନୟ କରୁଛନ୍ତି । ସନାତନ ସେବା ସମିତି, ଘାଟିକିଆ ମଂଚରେ ପ୍ରଥମେ ମଇଦାନକୁ ଓହ୍ଲାଉଛି ‘କୋଣାର୍କ ଗଣନାଟ୍ୟ’ । ପାର୍ଟି ତା’ର ଚର୍ଚ୍ଚିତ ନାଟକ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ମଞ୍ଚସ୍ଥ କରିବ । ଏଥିରେ ଭେଟେରାନ ଦୈତାରୀ ପଣ୍ଡା, ମିଟୁନା, ନଳିନୀ ପ୍ରମୁଖ ଅଭିନୟ କରିଛନ୍ତି ।
ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ ଯାତ୍ରା ସିଂହବାହିନୀ ବହୁ ଚର୍ଚ୍ଚିତ ନାଟକ ‘ତୁ ମୋ ବଜରଙ୍ଗୀ’ ପରିବେଷଣ କରିବ । ଏଥିରେ ଅଭିନେତା ପୀୟୁଷ, କ୍ଷୀତିଶ, ସ୍ୱିଟି, ବବଲୁ ପ୍ରମୁଖ ଅଭିନୟ କରିଛନ୍ତି । ଶେଷରେ ଅନନ୍ତ କେଶରୀ ଦେବ ସାଂସ୍କୃତିକ ଯୁବ ପରିଷଦ, ଖଣ୍ଡଗିରି ମଞ୍ଚରେ ଧଉଳି ପକ୍ଷରୁ ନାଟକ ‘ଚଣ୍ଡାଶୋକ’ ପରିବେଷଣ କରାଯିବ । ଏଥିରେ ଅଭିନେତା ରୁଦ୍ର, ସ୍ମରଣିକା, ଲକ୍ଷ୍ମୀଧର, ଆକାଶ ପ୍ରମୁଖ ଅଭିନୟ କରିବେ । ମା’ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ ୨୯ ତାରିଖରୁ ଯାତ୍ରା ‘ସ୍ୱର୍ଣ୍ଣ ମହଲ’ ପକ୍ଷରୁ ନାଟକ ପରିବେଷଣ ହେବ । ଯାହାର ନାଁ ଓ ଟାଇଟଲ ଏ ପର୍ଯ୍ୟନ୍ତ ରିଲିଜ ହୋଇନି । ସ୍ୱର୍ଣ୍ଣ ମହଲରେ ବରିଷ୍ଠ ଅଭିନେତା ସୁବାଷ ବେହେରା ରହିଛନ୍ତି । ତେଣୁ ତାଙ୍କ ଅଭିନୟ ଦେଖିବାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଜୟ ଦୁର୍ଗା ସାଂସ୍କୃତିକ ପରିଷଦ, ଜାଗମରା ମଞ୍ଚରେ ୨୯ ତାରିଖରୁ ଅପେରା ଶ୍ରୀମନ୍ଦିର ମଞ୍ଚସ୍ଥ କରିବ ‘ଜାନୱର’, ଏଥିରେ ଅଭିନେତା କାହ୍ନା ସ୍ୱାଇଁ, ଟିକି ରହିଛନ୍ତି । କଳିଙ୍ଗ ସାଂସ୍କୃତିକ ପରିଷଦ, ଜାଗମରା,ମଞ୍ଚରେ ୩୦ ତାରିଖରୁ ଯାତ୍ରା ‘ଇନ୍ଦ୍ରଭୁବନ’ ନାଟକ ପରିବେଷଣ କରିବେ ।