ତିଗିରିଆ,୨୭/୦୬: ଆଜି ବିଶ୍ୱ  ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ  ଯାତ୍ରା କରିବେ ଶ୍ରୀଜିଉ । ଏହି ପରିପ୍ରେକ୍ଷୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ଅଙ୍ଗବସ୍ତ୍ର ଗୀତଗୋବିନ୍ଦ  ଖଣ୍ଡୁଆ ପାଟ ପୁରୁଷୋତ୍ତମ କ୍ଷେତ୍ର କୁହାଯାଉଥିବା  ତିଗିରିଆରୁ ଶ୍ରୀକ୍ଷେତ୍ରକୁ ପଠା ଯାଇଛି । ଏହା ଶ୍ରୀମନ୍ଦିର ପରମ୍ପରା । 

ବର୍ଷ ତମାମ ଶ୍ରୀକ୍ଷେତ୍ରରେ  ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ବେଶ ପାଇଁ ଖଣ୍ଡୁଆ ପାଟ  ଲୋଡ଼ା ପଡ଼ିଥାଏ । ଏହି ପାଟକୁ ମହାପ୍ରଭୁଙ୍କ ପାଇଁ  ସ୍ୱତନ୍ତ୍ର ଭାବେ କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅଧୀନ  ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣାର ବୁଣାକାରମାନେ  ପ୍ରସ୍ତୁତ କରିଥାନ୍ତି । ୭/୮ଟି ବୁଣାକାର ପରିବାର  ଅତି ନିଷ୍ଠାର ସହ ଶୁଦ୍ଧପୂତ ଭାବେ ମହାପ୍ରଭୁଙ୍କ  ଶ୍ରୀଅଙ୍ଗ ପାଇଁ ଏହି ବସ୍ତ୍ର ତିଆରି କରିଥାନ୍ତି । ଶତାବ୍ଦୀ  ଶତାବ୍ଦୀ ଧରି ପୁରୀ ଶ୍ରୀକ୍ଷେତ୍ରକୁ ନୂଆପାଟଣାରୁ  ଖଣ୍ଡୁଆ ଯିବାର ପରମ୍ପରା ରହିଛି । ବିଧିମତେ ସ୍ନାନ  କାର୍ଯ୍ୟ ଶେଷ କରିବା ପରେ ହିଁ ଗୀତଗୋବିନ୍ଦ  ଖଣ୍ଡୁଆ ପାଟ ପ୍ରସ୍ତୁତ କରିଥାନ୍ତି ବୁଣାକାର ।  

କେବଳ ସେତିକି ନୁହେଁ, ପୂରା ପରିବାର  ହବିଷ୍ୟାନ୍ନ ଭୋଜନ କରିଥାନ୍ତି । ଏଥିସହ ସମ୍ପୃକ୍ତ  ପରିବାରରେ ଆମିଷ ପଶେ ନାହିଁ ବୋଲି ବୟୋଜ୍ୟେଷ୍ଠ  ବୁଣାକାର ତ୍ରିଲୋଚନ ଦାସ କହିଛନ୍ତି । ପୁରୁଷ  ପୁରୁଷ ଧରି ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର  ପ୍ରସ୍ତୁତି ସେବାରେ ନିୟୋଜିତ ହୋଇଥିବାରୁ ନିଜକୁ  ଭାଗ୍ୟବାନ ମନେ କରନ୍ତି । ମହାପ୍ରଭୁ ସେମାନଙ୍କ  ହାତ ତିଆରି ଗୀତଗୋବିନ୍ଦ ଖଣ୍ଡୁଆ ପରିଧାନ କରି  ଘୋଷଯାତ୍ରାରେ ବାହାରିଲେ ସେମାନେ ଖୁସିରେ  ଆତ୍ମବିଭୋର ହୋଇପଡ଼ୁଥିବା ପ୍ରକାଶ କରିଛନ୍ତି ।  ଗୀତଗୋବିନ୍ଦର ପଦାବଳିକୁ ଏହି ପାଟବସ୍ତ୍ରରେ  ଅତି ଯତ୍ନର ସହକାରେ ବର୍ଣ୍ଣନା କରାଯାଇଥାଏ ।  ଶ୍ରୀଜିଉଙ୍କ ଅନବସର ନୀତିଠୁ ଆରମ୍ଭ କରି  ଘୋଷଯାତ୍ରା ପର୍ଯ୍ୟନ୍ତ ପ୍ରଭୁଙ୍କ ଅଙ୍ଗରେ ଲାଗିହୁଏ  ଏହି ବସ୍ତ୍ର । ଏଣୁ ବେଶ୍‌ ନିଷ୍ଠାର ସହ ବୁଣାକାର  ପରିବାର ଏହାକୁ ଗୁରୁତ୍ୱ ଦେଇ କରୁଥିବା ଜଣାଯାଏ ।