ଯାଜପୁର,୦୯/୧୧: ଯାଜପୁର-ବରୁହାଁ  ମୁଖ୍ୟରାସ୍ତା ଖରସ୍ରୋତା ସେତୁ ଉପରେ  ଅଜଣା ପୋକଙ୍କ ଉପଦ୍ରବ ବଢ଼ିବାରେ  ଲାଗିଛି । ସନ୍ଧ୍ୟା ହେଲେ ପୋକ ନଦୀପଠାରୁ  ଆସି ସେତୁ ଉପରେ ପ୍ରବଳ ମାତ୍ରାରେ ଉଡ଼ିବା  ସହ ରାସ୍ତାରେ ଏକ ଆବରଣ ସୃଷ୍ଟି କରୁଛନ୍ତି ।  ପୋକ ଏହି ରାସ୍ତାରେ ଯାଉଥିବା ଯାତ୍ରୀଙ୍କ ଦେହ  ଓ ଆଖିରେ ମାଡ଼ ହେବା ଯୋଗୁ ଯାତାୟାତ  ଏକରକମ ସନ୍ଧ୍ୟା ପରେ ଠପ୍‌ ହୋଇଯାଉଛି ।

ଗତବର୍ଷ ସମାନ ଭାବେ ଏହି ରାସ୍ତାରେ  ଅଜଣା ପୋକ ଆତଙ୍କ ଖେଳାଇଥିଲେ ।  ଚଳିତ ବର୍ଷ ମଧ୍ୟ ଗତ ଦୁଇଦିନ ହେବ  ଅଜଣା ପୋକ ସନ୍ଧ୍ୟା ପରେ ସେତୁ ଉପରେ  ଉଡ଼ୁଥିବା ଦେଖିବାକୁ ମିଳୁଛି । ଅନ୍ୟ  କେଉଁସ୍ଥାନରେ ଏଭଳି ଘଟଣା ଘଟୁନଥିବା  ବେଳେ ସନ୍ଧ୍ୟା ପରେ ଏହି ରାସ୍ତା ଦେଇ  ଯାଉଥିବା ଗାଡ଼ି ଗୁଡ଼ିକ ବହୁ ଅସୁବିଧାର  ସମ୍ମୁଖୀନ ହେଉଛି । ବିଶେଷ କରି ଦୁଇ  ଓ ତିନି ଚକିଆ ଚାଳକ ଓ ଯାତ୍ରୀ ପୋକଙ୍କ  ଶିକାର ହେଉଛନ୍ତି । ପୋକ ଆଖି ଓ ଦେହରେ  ମାଡ଼ ହେବା ଯୋଗୁ ଗାଡ଼ି ଚାଳକ ଭାରସାମ୍ୟ  ହରାଇ ଦୁର୍ଘଟଣାର ଶିକାର ହେଉଥିବା  ବେଳେ ରାସ୍ତାରେ ଆବରଣ ସଦୃଶ ପୋକ  ପଡ଼ୁଥିବାରୁ ଗାଡ଼ି ଚାଳକ ଭାରସାମ୍ୟ  ହରାଇ ଦୁର୍ଘଟଣା ଘଟାଉଥିବା ଦେଖିବାକୁ  ମିଳିଛି । ତେବେ ପୋକଙ୍କ ସେତୁ ଉପରକୁ  ଆସିବାର କାରଣ ଜଣାପଡ଼ିନଥିବା  ବେଳେ ସନ୍ଧ୍ୟା ପରେ ଏହି ରାସ୍ତାରେ  ଗାଡ଼ିମୋଟର ଚଳାଚଳ ଏକରକମ  ଠପ୍‌ ହୋଇଯାଉଥିବା ଜଣାପଡ଼ିଛି।