ନୂଆଦିଲ୍ଲୀ,୯।୧୨: ପ୍ରତିରକ୍ଷା କ୍ଷେତ୍ରରେ ଲଗାତାର ବଢୁଛି ଭାରତର ଶକ୍ତି। ଏବେ ଭାରତୀୟ ସେନା ‘ଖଡ୍ଗ‘ କାମିକେଜ୍ ଡ୍ରୋନ୍ ପ୍ରସ୍ତୁତ କରିଛି। ସବୁଠାରୁ ଖାସ୍ କଥା ଯେ, ଏହି ଡ୍ରୋନ୍ ଦେଖିବାରେ ଯେତେ ହାଲକା, ତାହା ସେତେ ଘାତକ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି ଡ୍ରୋନ୍ର ବ୍ୟବହାର ଋଷ ଓ ୟୁକ୍ରେନ୍ର ଯୁଦ୍ଧ ବେଳେ ମଧ୍ୟ ହୋଇଛି। ସବୁଠାରୁ ଖାସ୍ କଥା ଏହା ଯେ, ତାକୁ ସୁସାଇଡ୍ ଡ୍ରୋନ୍ କୁହାଯାଏ। ଯାହାକି ଶତ୍ରୁର ଆଡ୍ଡାକୁ ନଷ୍ଟ କରିବାରେ ମାହିର।
ଏନ୍ଡିଟିଭିର ରିପୋର୍ଟ ଅନୁସାରେ,ଏହି ହାଇ ସ୍ପିଡ୍ ଡ୍ରୋନ୍ ୪୦ ମିଟର ପ୍ରତି ସେକେଣ୍ଡ ବେଗରେ ଉଡିଥାଏ। ଏହାର ରେଞ୍ଜ ପ୍ରାୟ ଦେଢ କିଲୋମିଟର ରହିଛି। ଡ୍ରୋନ୍ ୭୦୦ ଗ୍ରାମ୍ ପର୍ଯ୍ୟନ୍ତ ବିସ୍ଫୋରକ ସାଙ୍ଗରେ ନେଇଯିବାରେ ସକ୍ଷମ, ଯେଉଁଥିରେ ଜିପିଏସ୍ ଓ ହାଇ ଡେଫିନେସନ୍ କ୍ୟାମେରା ଲାଗିଛି। କୁହାଯାଉଛି ଯେ, ଏହା ଶତ୍ରୁର ଇଲେକ୍ଟେ୍ରାମ୍ୟାଗ୍ନେଟିକ୍ ସ୍ପେକ୍ଟ୍ରମ୍ ଜୋମିଂକୁ ମଧ୍ୟ ଚକମା ଦେଇପାରେ।
ରିପୋର୍ଟରେ ଅଧିକାରୀଙ୍କ ସୁତ୍ରରୁ କୁହାଯାଇଛି ‘ଖଡ୍ଗ‘ ଡ୍ରୋନ୍ ରାଡାରର ରେଞ୍ଜ୍ରେ ମଧ୍ୟ ଆସିନଥାଏ। ଏହାର ଖର୍ଚ୍ଚ ୩୦ ହଜାର ଟଙ୍କା। ଅଗଷ୍ଟରେ NAL ଅର୍ଥାତ ନ୍ୟାସନାଲ ଏରୋସ୍ପେସ୍ ଲ୍ୟାବ୍ ସ୍ବଦେଶୀ କାମିକେଜ୍ ଡ୍ରୋନ୍ ଲଞ୍ଚ କରିଥିଲା, ଯେଉଁଥିରେ ସ୍ବଦେଶୀ ଇଞ୍ଜିନ ଲାଗିଥିଲା। ଏହି ଇଞ୍ଜିନ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଡ୍ରୋନ୍ ପହଁଞ୍ଚାଇବାରେ ସକ୍ଷମ ଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର କହିଛନ୍ତି, ଭାରତ ନିଜ ସୀମାକୁ ସୁରକ୍ଷିତ କରିବା ପାଇଁ ଖୁବ୍ ଶୀଘ୍ର ଏକ ଡ୍ରୋନ୍ ନିରୋଧି ୟୁନିଟ୍ ଗଠନ କରିବ, କାରଣ ଆଗାମୀ ଦିନରେ ମାନବ ରହିତ ଯାନର ବିପଦ ଆହୁରି ଗମ୍ଭୀର ହେବାକୁ ଯାଉଛି। ଆମକୁ ଏହାର ମୁକାବିଲା ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ପ୍ରତିରକ୍ଷା ଓ ଅନୁସନ୍ଧାନ ସଂଗଠନ ଓ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ସହ ମିଶି କାମ କରୁଛି।’