ନିମାପଡ଼ା,୦୪/୧୧: ନିମାପଡ଼ା ଖେଲାର ଅଞ୍ଚଳରେ ଅପରାଧିକ କାର୍ଯ୍ୟ ବୃଦ୍ଧି ଫଳରେ ପୂର୍ବତନ ଥାନାଧିକାରୀଙ୍କ ଉଦ୍ୟମରେ ଏକ  ପୁଲିସ୍‌ ସହାୟତା କେନ୍ଦ୍ର ସ୍ଥାପନ ହୋଇଥିଲା । ଏହା ବର୍ଷେ ହେବ ଅଳିଆ ଗଦାରେ ପଡ଼ିଛି । ଏଠାରେ ଜଣେ ଏଏସ୍‌ଆଇଙ୍କୁ ନିଯୁକ୍ତି  ଦିଆଯାଇଥିଲା। ଏହା ଆଇନଶୃଙ୍ଖଳା ରକ୍ଷା ଦିଗରେ ସହାୟକ ହେଉଥିଲା । ଏବେ  ଅଳିଆ ଗଦାରେ ପଡ଼ିଥିବା ପୁଲିସ ସହାୟତା କେନ୍ଦ୍ର ଉପରେ ବିଭିନ୍ନ ପ୍ରକାର ଅନାବନା ଗଛ  ଉଠିଗଲାଣି । ଭାଙ୍ଗିରୁଜି ଗଲାଣି ।

ସୂଚନା ଅନୁଯାୟୀ, ଖେଲାର ବଜାରରେ ଦୁଇଶହରୁ ଊଦ୍ଧ୍ୱର୍ ବ୍ୟବସାୟୀ ରହିଥିବା ବେଳେ  ଏହା ନିମାପଡ଼ା ଅଞ୍ଚଳର ଏକ ପ୍ରମୁଖ ବଜାର । ନିମାପଡ଼ାରୁ ପିପିଲିକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଖେଲାର ବଜାର ଦେଇଯାଇଛି । ପ୍ରତିଦିନ ହଜାର ହଜାର ସଂଖ୍ୟକ ଗାଡ଼ି ଚଳାଚଳ କରୁଛି । ଖେଲାର ବଜାର ନିକଟରେ କଲେଜ,  ସ୍କୁଲ, ହାଟ, ପେଟ୍ରୋଲ ପମ୍ପ୍‌ଠାରୁ ଆରମ୍ଭ କରି  ବିଭିନ୍ନ କାର୍ଯ୍ୟାଳୟ ରହିଛି । ଏହାକୁ ଦୃଷ୍ଟିରେ  ରଖି ନିମାପଡ଼ା ଥାନାର ପୂର୍ବତନ ଥାନାଧିକାରୀ  ସେଠାରେ ଏକ ପୁଲିସ ସହାୟତା କେନ୍ଦ୍ର  ସ୍ଥାପନ କରିଥିଲେ । ଜଣେ ଠିକାଦାର ଏହାକୁ  ସେଠାରୁ ଉଠାଇ ଏକ ପରିତ୍ୟକ୍ତ ସ୍ଥାନରେ  ଫୋପାଡ଼ି ଦେଇଛନ୍ତି । କାହା ଆଦେଶରେ  ସେଠାରୁ ପୁଲିସ ସହାୟତା କେନ୍ଦ୍ର ହଟାଯାଇଛି,  ଠିକାଦାର ବିରୋଧରେ କ'ଣ ପାଇଁ ଆଇନଗତ  କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଲୋକଙ୍କ  ମନରେ ପ୍ରଶ୍ନ ଉଠିଛି । ଏଠାରେ ପୁନର୍ବାର  ସହାୟତା କେନ୍ଦ୍ର ସ୍ଥାପନ କରି କର୍ମଚାରୀ ନିଯୁକ୍ତି  ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏ ଦିଗରେ  ଏସ୍‌ପି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ କହିଛନ୍ତି।