ଭୁବନେଶ୍ୱର,୦୨/୦୬: ୨୦୨୬ ମାର୍ଚ୍ଚ ସୁଦ୍ଧା  ସରିବ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନ୍‌ କାମ ।  ଏହି ଲାଇନ୍‌ ପାଇଁ ବିଶେଷ ଆହ୍ୱାନ ଥିବା ୭ଟି ସୁଡ଼ଙ୍ଗ  କାମ ସରିଛି । ଶେଷ ସୁଡ଼ଙ୍ଗ ଖନନ କାମ ମେ ୩୦  ତାରିଖରେ ସରିବା ପରେ ଏବେ ଏହି ବହୁ ପ୍ରତୀକ୍ଷିତ  ରେଳ ଲାଇନ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ସ୍ଥାନୀୟ  ଅଞ୍ଚଳରେ ଆଶା ସଞ୍ଚାର ହୋଇଛି । ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନ୍‌ ମୋଟ ୩୦୧ କିଲୋମିଟର  ହୋଇଥିବା ବେଳେ ଖୋର୍ଦ୍ଧା ରୋଡ୍‌ରୁ ଦଶପଲ୍ଲା ୧୦୬  କିଲୋମିଟର କାମ ସରିଛି । ସେହିପରି ବଲାଙ୍ଗିରରୁ  ପୁରୁଣାକଟକ ୧୨୦ କିମି ମଧ୍ୟ କାମ ସରିଛି । କେବଳ  ପୁରୁଣାକଟକରୁ ଆଢ଼େନିଗଡ଼ ପର୍ଯ୍ୟନ୍ତ ୭୫ କିମି କାମ ବାକି ରହିଥିଲା । ସେହି ଅଞ୍ଚଳରେ ଏହି ସୁଡ଼ଙ୍ଗଯାକ ରହିଥିବାରୁ ବିଳମ୍ବ ହେଉଥିଲା । ମାତ୍ର ଏହି ସମସ୍ୟା  ଦୂର ହେବା ପରେ ଏଣିକ ଅବଶିଷ୍ଟ କାମ ଯୁଦ୍ଧକାଳୀନ  ଭିତ୍ତିରେ ଚାଲିବ । ଶୀଘ୍ର ପୂର୍ବ ଏବଂ ପଶ୍ଚିମ ଓଡ଼ିଶା  ମଧ୍ୟରେ ସୁଗମ ରେଳ ସଂଯୋଗ ସ୍ଥାପନ ହୋଇପାରିବ ।  ଯାହା ଯାତ୍ରୀ ଏବଂ ମାଲ ପରିବହନକୁ ବ୍ୟାପକ ଲାଭ  ଦେବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ  କହିଛନ୍ତି ।  

ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନ୍‌ ପୂର୍ଣ୍ଣ  କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାର ଅର୍ଥନୀତି ଏବଂ  ସମାଜ ଉପରେ ପରିବର୍ତ୍ତନକାରୀ ପ୍ରଭାବ ପକାଇବ ।  ଭୁବନେଶ୍ୱର ଏବଂ ବଲାଙ୍ଗୀର ମଧ୍ୟରେ ଯାତ୍ରା ସମୟ  ହ୍ରାସ କରିବ । ବାଣିଜ୍ୟ ଏବଂ ଆଞ୍ଚଳିକ ବିକାଶକୁ  ପ୍ରୋତ୍ସାହିତ କରିବ । ନୟାଗଡ ଜିଲ୍ଲାର ବୁଗୁଡ଼ା  ଏବଂ ଦଶପଲ୍ଲା ମଧ୍ୟରେ ଥିବା ସୁଡଙ୍ଗ ନମ୍ୱର ଟି୨ର  ଖନନ କାର୍ଯ୍ୟ ଶୁକ୍ରବାର ସରିବା ସହିତ ଏହି ରେଳ କରିଡରରେ ସମସ୍ତ ସାତଟି ସୁଡଙ୍ଗର ଖନନ କାର୍ଯ୍ୟ  ସମାପ୍ତ ହୋଇଛି । ସୁଡଙ୍ଗ ନମ୍ୱର ଟି୨ ୧,୭୭୫ ମିଟର  ଦୈର୍ଘ୍ୟ ରହିଛି । ଏହି ସୁଡ଼ଙ୍ଗ ୨-ଡିଗ୍ରୀ ବକ୍ର ସହ  ନିର୍ମାଣ କରାଯାଇଛି । ଏହା ନୂଆ ପ୍ରଯୁକ୍ତିବିଦ୍ୟା ପଦ୍ଧତି  ନୂଆ ଅଷ୍ଟ୍ରିଆନ୍‌ ଟନେଲିଂ ପଦ୍ଧତିରେ ନିର୍ମିତ ହୋଇଛି । 

ଜଟିଳ ୭ଟି ସୁଡ଼ଙ୍ଗର ମୋଟ ୧୨.୭୬ କିମି ଲମ୍ୱ । ସେଥିମଧ୍ୟରୁ ନୟାଗଡ ଜିଲ୍ଲାରେ ଥିବା ଟି-୧ ଲମ୍ବ  ୮୦୦ ମିଟର ଥିବା ବେଳେ ଟି-୨ର ୧,୭୭୫ ମିଟର  ଓ ଟି-୩ର ୨,୬୨୦ ମିଟର ରହିଛି । ବୌଦ୍ଧ ଜିଲ୍ଲାରେ  ଥିବା ଟି- ୪ର ଲମ୍ବ ୪,୧୮୩ ମିଟର ଓ ୭୦୦-ମିଟର  ଏସ୍କେପ୍‌ ସୁଡ଼ଙ୍ଗ ହୋଇଥିବା ବେଳେ ଟି-୫ର ୩୧୭ ମିଟର, ଟି-୬ର ୨୯୦.୭୫ ମିଟର ଓ ଟି-୭ର ୧,୯୭୫  ମିଟର ଲମ୍ବ ରହିଛି । ଏହି ସୁଡ଼ଙ୍ଗ ନିର୍ମାଣ ପ୍ରାକୃତିକ  ଚ୍ୟାଲେଞ୍ଜରେ ଭରି ରହିଥିଲା । ଏଥିରେ ଅତ୍ୟନ୍ତ  ପରିବର୍ତ୍ତନଶୀଳ ମାଟି ଏବଂ ପଥର ଭରି ରହିଛି । ତେଣୁ  ଉପଯୁକ୍ତ ଡିଜାଇନ୍‌ ସହିତ ବକ୍ର ଆଲାଇନମେଣ୍ଟ କରିବା  କଷ୍ଟକର ବ୍ୟାପାର ଥିଲା । ଏହା ସହିତ ବନ୍ୟପ୍ରାଣୀ  କ୍ଷେତ୍ରରେ ଶବ୍ଦ ଏବଂ କମ୍ପନ ନିୟନ୍ତ୍ରଣ ବ୍ୟବସ୍ଥାର  ସହ ରେଳ ନିର୍ମାଣ କାମ କରାଯାଇଥିବା ବିଭାଗୀୟ  ଅଧିକାରୀ କହିଛନ୍ତି ।