ମୁମ୍ବାଇ,୧୬/୦୧: ଭାରତୀୟ କ୍ରିକେଟ ଦଳର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିଷୟରେ କିଛି ଦିନ ତଳେ ଅଭିନେତ୍ରୀ ଖୁସି ମୁଖାର୍ଜୀଙ୍କ ପାଇଁ ଗମ୍ଭୀର ବୟାନ ଦେଇଥିଲା । ଏହା ଏବେ ଖୁସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଜଣାପଡ଼ିଛି । ତାଙ୍କ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଏହି ମାମଲା ଏବେ ଆଇନଗତ ଲଢ଼େଇ ଆଡ଼କୁ ଗତି କରିଛି । ସୋସିଆଲ ମିଡିଆ ଇନ୍‌ଫ୍ଲ୍ୟୁଏନ୍‌ସର ଫୈଜାନ ଅନସାରୀ ଖୁସି ମୁଖାର୍ଜୀଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମାମଲା ଦାୟର କରିଛନ୍ତି ।

ମୁମ୍ବାଇ ବାସିନ୍ଦା ଫୈଜାନ ଅନସାରୀ ଗାଜିପୁର ପୁଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଅନସାରୀ କହିଛନ୍ତି ଯେ, ଖୁସି ମୁଖାର୍ଜୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ଜଣେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ପ୍ରତିଛବିକୁ କ୍ଷତି ପହଞ୍ଚାଇଛି । ଏପରି ବୟାନ କେବଳ ଶିରୋନାମା ଏବଂ ପ୍ରଚାର ପାଇଁ ଦିଆଯାଇଥିଲା ।  ଅଭିଯୋଗ ଦାଖଲ କରିବା ପାଇଁ ସେ ବ୍ୟକ୍ତିଗତ ଭାବରେ ମୁମ୍ବାଇରୁ ଗାଜିପୁର ଯାତ୍ରା କରିଥିଲେ । ଏପରି ଅଭିଯୋଗ ଜଣେ ଖେଳାଳିଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ପ୍ରତିଛବିକୁ ପ୍ରଭାବିତ କରେ ଏବଂ କୌଣସି ପରିସ୍ଥିତିରେ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଫୈଜାନ । ସେ ଅଭିନେତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ୭ ବର୍ଷ ଜେଲ ଦଣ୍ଡ ଦାବି କରିଛନ୍ତି ।

​​​​​​​୧୦୦ କୋଟିର ମାନହାନି ମାମଲା-  ଫୈଜାନ ଅନସାରୀ ସ୍ପଷ୍ଟ କରିଛନ୍ତି ଯେ, ସେ ଅଭିନେତ୍ରୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମକଦ୍ଦମା ଦାୟର କରିଛନ୍ତି । ଯଦି ଖୁସି ମୁଖାର୍ଜୀ ପ୍ରମାଣ ସହିତ ତାଙ୍କ ଦାବିକୁ ପ୍ରମାଣିତ କରନ୍ତି, ତେବେ ସେ ସାର୍ବଜନୀନ ଭାବରେ କ୍ଷମା ମାଗିବାକୁ ପ୍ରସ୍ତୁତ ।  ଯେପର୍ଯ୍ୟନ୍ତ ତାହା ହୋଇନାହିଁ ସେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ଫୈଜାନ ।

କଣ କହିଥିଲେ ଖୁସି ? ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ଖୁସି ମୁଖାର୍ଜୀ ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ, ''ସୂର୍ଯ୍ୟକୁମାର ଯାଦବ ତାଙ୍କୁ ବାରମ୍ବାର ମେସେଜ୍ କରୁଥିଲେ । ଖାଲି ସେତିକି ନୁହେଁ କ୍ରିକେଟର ତାଙ୍କ ପଛରେ ପଡିଥିବା କହିଥିଲେ । ସୂର୍ଯ୍ୟ ମୋତେ ବହୁତ ମେସେଜ୍ କରନ୍ତି ହେଲେ ଏବେ ଆମେ ଆଉ ଏତେ କଥାବାର୍ତ୍ତା ହେଉନାହୁଁ । ମୁଁ ତାଙ୍କ ସହିତ ଜଡିତ ହେବାକୁ ମଧ୍ୟ ଚାହୁଁନାହିଁ  ମୁଁ ଲିଙ୍କ-ଅପ୍ ଗୁଜବକୁ ପସନ୍ଦ କରେ ନାହିଁ ।'' ଏହି ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । କ୍ରିକେଟ୍ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହି ବୟାନ ଏବେ ଖୁସିଙ୍କୁ ଅଡୁଆରେ ପକାଇଛି । ତାଙ୍କ ନାମରେ ୧୦୦ କୋଟିର ମାନହାନୀ ମାମଲା ଦାୟର ହୋଇଛି ।