ପାଟଣାଗଡ଼,୨୭/୧୨ : ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଟୁଣାପାଣି ଖେଳ ପଡ଼ିଆଠାରେ ଦୁଇ ଦିନ ଧରି ଚାଲିଥିବା ଖୁଟୁଣାପାଣି କପ୍ ଫୁଟବଳ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିଲେ । ଆଜି ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୁର୍ଣ୍ଣ ଖେଳ ଖେଳି ଘସିଏନ ଏବଂ ରେଙ୍ଗଟସିଲ ଦଳ ଫାଇନାଲକୁ ପ୍ରବେଶ କରିଥିଲେ | ପରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ପୁର୍ଣ ଖେଳ ଅନୁଷ୍ଠିତ ହୋଇ ରେଙ୍ଗଟାସିଲ ଦଳ ଘସିଏନ ଦଳକୁ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲା।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଶ୍ୱାବସୁ ଶବର ସମାଜର ଜିଲ୍ଲା ସଭାପତି ସାରଥୀ ବାଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ ଏବଂ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅଞ୍ଚଳରେ ଲୁକ୍କାୟିତ ଭାବେ ବହୁ ପ୍ରତିଭାବାନ ଖେଳାଳୀ ଥିଲେ ସୁଦ୍ଧା ସରକାରୀ ପ୍ରୋତ୍ସାହନ, ସରକାରୀ ଆନ୍ତରିକତା ଅଭାବ ଏବଂ ଭିତ୍ତିଭୂମି ଅଭାବ ହେତୁ ଖେଳ ଓ ଖେଳାଳୀମାନଙ୍କର ବିକାଶ ହେଉନାହିଁ ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଆଜିର ଖେଳକୁ ରେଫରି ପ୍ରମୋଦ ଭୋଇ ପରିଚାଳନା କରିଥିବାବେଳେ ଲାଇନମ୍ୟାନ ଭାବେ ରାଜୀବ ବାରିକ, ରାକେଶ ଭୋଇ ଏବଂ ଚତୁର୍ଥ ରେଫରୀ ଭାବେ ପୂର୍ବତନ ଭାରତୀୟ ସୁରକ୍ଷା ସେନାନୀ ଯୋଗେଶ୍ୱର ଭୋଇ ଦାୟିତ୍ୱ ତୁଲାଇଥିଲେ । ଆୟୋଜକ କ୍ଲବର ଯତନ ବୁଡ଼େକ, ସୁଦାମ ମେହେର, ଗଣପତି ଭୋଇ, ରାଜେଶ ଭୋଇ, ନରେଶ ଭୋଇ, ରବି ବିଶ୍ୱାଳ, ପୁର୍ଣ୍ଣ ବୁଡ଼େକ, ପିଣ୍ଟୁ ବୁଡ଼େକ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଫାଇନାଲ ଖେଳରେ ଅଞ୍ଚଳର ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।