ପ୍ରମୂଖ ଖବର

ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି, ପାର୍ଲରରୁ ଫେରିବା ବାଟରେ ହେଲା ଅପହରଣ

Published By : Anindita Ratha | April 29, 2025 2:02 PM

ଭୁବନେଶ୍ବର,୨୯/୦୪: ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । ସରିଥିଲା ସମସ୍ତ ପ୍ରସ୍ତୁତି । ଆଉ ମାତ୍ର  ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି। ହେଲେ ପାର୍ଲରକୁ ଯାଇ ଆଉ ଘରକୁ ଫେରିଲେନି ଯୁବତୀ । ଫେରିବା ବାଟରେ ହୋଇଗଲେ ଅପହରଣ । ଏମିତି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରୁ । ଏନେଇ ଅଭିଯୋଗ ପାଇବା ପରେ ତଦନ୍ତ କରୁଛି ପୋଲିସ । 


ସୂଚନାଯୋଗ୍ୟ ଅନୁଯାୟୀ, ଜିଲ୍ଲାର ଘଷିପୁରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ବିବାହ ପାଇଁ ଲଗ୍ନ ବାହାରିଥିଲା । ଆସନ୍ତାକାଲି ପଡିଥାନ୍ତା ହାତଗଣ୍ଠି । କିନ୍ତୁ ବିବାହ ପୂର୍ବରୁ କନ୍ୟା ହୋଇଗଲେ ଅପହରଣ । ଗତକାଲି ଅପରାହ୍ନ ସମୟରେ କନ୍ୟା ଜଣଙ୍କ ନିଜ ଭାଇ ସହ ନିକଟସ୍ଥ ବଜାରରେ ଥିବା ପାର୍ଲରକୁ ଯାଇଥିଲେ । ପାର୍ଲରରୁ କାମ ସାରି ସେ ଏକା ଘରକୁ ଫେରୁଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିବା ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପଚରାଉଚରା କରିବା ବେଳେ ଯୁବକ ଜଣକଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ତେବେ ଯୁବତୀ ଜଣଙ୍କୁ ଏକତରଫା ପ୍ରେମ ପାଇଁ ଅପହରଣ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେ ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ । ପୋଲିସର ତଦନ୍ତ ଏବଂ ଯୁବତୀ ଜଣଙ୍କ ମିଳିବା ପରେ ପ୍ରକୃତ  ଘଟଣା ବିଷୟରେ ଜଣାପଡିବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.