ନୂଆଦିଲ୍ଲୀ ୦୮/୦୬: ବିଶ୍ୱରେ ପ୍ରତି ଦୁଇ ଜଣରେ ଜଣେ କିମ୍ବା ହାରାହାରି ୮୫ କୋଟି ଲୋକ କ୍ରନିକ୍ କିଡ୍ନୀ ଡିଜିଜ୍ (ସିକେଡି) ଅର୍ଥାତ୍ ଦୀର୍ଘକାଳୀନ ବୃକ୍କ ରୋଗରେ ପୀଡ଼ିତ । ଏହା ମୃତ୍ୟୁ ଓ ଅକ୍ଷମତାର ଅନ୍ୟତମ ପ୍ରମୁଖ କାରଣ । ୨୦୪୦ ମସିହା ସୁଦ୍ଧା ଏହା ଅକାଳ ମୃତ୍ୟୁର ୫ମ ସର୍ବବୃହତ କାରଣ ହେବ ବୋଲି ଆକଳନ କରାଯାଇଛି । ଘାତକ କିଡ୍ନୀ ରୋଗ ଥରେ ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିବା ପରେ ହସ୍ପିଟାଲରେ ଭର୍ତ୍ତି ହେବା, ହୃଦ୍ରୋଗ ମାମଲା ଏବଂ ମୃତ୍ୟୁ ହାର ନାଟକୀୟ ରୂପେ ବଢ଼ିଯାଉଛି । ଏହା ତୁରନ୍ତ ଓ ଫଳପ୍ରଦ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ ।
କିଛି ପ୍ରମୁଖ ଅଧ୍ୟୟନରୁ ଜଣାପଡ଼ିଛି, ଡାକ୍ତର ପରାମର୍ଶ କରୁଥିବା ଫାଇନ୍ରେନୋନ୍ ନାମକ ଔଷଧ କିଡ୍ନୀର କାର୍ଯ୍ୟକୁ ବଜାୟ ରଖେ, ହୃଦ୍ରୋଗ ଆଶଙ୍କା ହ୍ରାସ କରେ ଏବଂ ଦୀର୍ଘକାଳୀନ କିଡ୍ନୀ ରୋଗରେ ପୀଡ଼ିତ ବ୍ୟାପକ ସଂଖ୍ୟକ ରୋଗୀଙ୍କ ବଞ୍ଚିବା ଆଶାକୁ ଆହୁରି ମଜଭୁତ କରେ । ଅଧ୍ୟୟନଟି ବିଶ୍ୱର ୩ ଅଗ୍ରଣୀ ଚିକିତ୍ସା ପତ୍ରିକା- ଦ ଲାନ୍ସେଟ୍, ଦ ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍ ମେଡିସିନ୍ ଓ ଜାମାରେ ପ୍ରକାଶ ପାଇଛି । ଏହା ଦର୍ଶାଇଛି, ଟାଇପ୍-୨ ମଧୁମେହ ସହ ଜଡି଼ତ ଦୀର୍ଘକାଳୀନ କିଡ୍ନୀ ରୋଗରେ ପୀଡ଼ିତ ବୟସ୍କଙ୍କ କିଡ୍ନୀ ଓ ହୃତ୍ପିଣ୍ଡକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ଫାଇନ୍ରେନୋନ୍ ମଧୁମେହରହିତ ସିକେଡି ଓ ଗ୍ଲୋମେରୁଲାର ରୋଗ ପାଇଁ ମଧ୍ୟ ଫଳପ୍ରଦ । ଗତ ଶୁକ୍ରବାର ବ୍ରିଟେନର ଗ୍ଲାସ୍ଗୋରେ ୟୁରୋପିଆନ ରେନାଲ ଆସୋସିଏସନ୍ କଂଗ୍ରେସରେ ଅଧ୍ୟୟନର ତଥ୍ୟ ଉପସ୍ଥାପନ କରାଯାଇଥିଲା । ଏଥିସହ ଉପରୋକ୍ତ ୩ଟି ଅଗ୍ରଣୀ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା । ଏହି ଅଧ୍ୟୟନ ଚିକିତ୍ସା ଅନୁସନ୍ଧାନରେ ଏକ ବିରଳ ଉପଲବ୍ଧି ।
ଜର୍ଜ ଇନ୍ଷ୍ଟିଚ୍ୟୁଟ୍ର ପ୍ରଫେସର ହିଡୋ ହିରସ୍ପି ଓ ୟୁଏନ୍ଏସ୍ଡବ୍ଲ୍ୟୁ ସିଡ୍ନୀର ପ୍ରଫେସର ଭ୍ଲାଦୋ ପର୍କୋଭିକ୍ଙ୍କ ନେତୃତ୍ୱାଧୀନ ଫାଇଣ୍ଡ-ସିକେଡି ପରୀକ୍ଷଣରେ ୨୪ ଦେଶର ୧,୫୮୪ ଜଣ ମଧୁମେହ-ରହିତ ସିକେଡି ରୋଗୀଙ୍କଠାରେ ଫାଇନ୍ରେନୋନ୍ର କାମକୁ ଆକଳନ କରାଯାଇଥିଲା । ଫାଇଣ୍ଡ-ସିକେଡି ଏକ ପ୍ରମୁଖ ଅନ୍ତର୍ଜାତୀୟ ଚିକିତ୍ସା ପରୀକ୍ଷଣ, ଯାହା ସିକେଡିରେ ପୀଡ଼ିତ କିନ୍ତୁ ମଧୁମେହ-ରହିତ ରୋଗୀଙ୍କ ମଧ୍ୟରେ କିଡ୍ନୀ ରୋଗ ବୃଦ୍ଧିକୁ ଧୀମା କରିବାରେ ଫାଇନ୍ରେନୋନ୍ର ପ୍ରଭାବଶାଳୀତାକୁ ମୂଲ୍ୟାଙ୍କନ କରିଥିଲା । ଏହାକୁ ଚିକିତ୍ସାରେ ସାମିଲ କରିବା ପରେ ଫାଇନ୍ରେନୋନ୍ କିଡ୍ନୀକୁ ଅଚଳ କରିବାର ଗତିକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଧୀମା କରିଥିବା ଅଧ୍ୟୟନରୁ ଜଣାପଡ଼ିଲା । ପରୀକ୍ଷଣରେ ଫାଇନ୍ରେନୋନ୍ କିଡ୍ନୀ ଅଚଳ ଆଶଙ୍କା, ସିକେଡି ବୃଦ୍ଧି, ହୃତ୍ପିଣ୍ଡ ଅଚଳ କିମ୍ବା ହୃଦ୍ରୋଗ ଜନିତ ମୃତ୍ୟୁକୁ ୨୩% ପ୍ରତିଶତ ହ୍ରାସ କରିଥିଲା ।
ଆହୁରି ପଢ଼ନ୍ତୁ...Jupiter Venus Conjunction: ଜୁନ୍ ୯ ସନ୍ଧ୍ୟାରେ ଆକାଶରେ ଦିଶିବ ବିରଳ ଦୃଶ୍ୟ, ପାଖରୁ ଦେଖାଯିବେ ବୃହସ୍ପତି ଓ ଶୁକ୍ର