ନୂଆଦିଲ୍ଲୀ: ଉତ୍ତର କୋରିଆ ନିଜର ପାରମ୍ପରିକ ଶତ୍ରୁ ଦକ୍ଷିଣ କୋରିଆକୁ ପୁଣି ଦେଇଛି ଧମକ । ଏଥର ପରମାଣୁ ବୋମା ପକାଇ ଦେଶକୁ ଦୁନିଆ ମାନଚିତ୍ରରୁ ଉଡ଼ାଇ ଦେବେ ବୋଲି ଧମକ ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍‌ । ଏହା ପୂର୍ବରୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଉତ୍ତର କୋରିଆ ବିରୋଧରେ ବୟାନ ଦେଇଥିଲେ । ସେ କହିଥିଲେ, ଯଦି ଉତ୍ତର କୋରିଆ ପରମାଣୁ ଯୁଦ୍ଧାସ୍ତ୍ର ପ୍ରୟୋଗ କରେ ତେବେ କିମ୍‌ ଜଙ୍ଗ ଉନଙ୍କ ଶାସନ ଶେଷ ହୋଇଯିବ । 

କୋରିଆ ଉପଦ୍ବୀପରେ ଅଶାନ୍ତି ହେବା କୌଣସି ନୂଆ କଥା ନୁହେଁ । କିନ୍ତୁ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ଉଗ୍ରରୂପ ନେବାର କାରଣ ପଛରେ ରହିଛି ଦକ୍ଷିଣ କୋରିଆର ଏକ ବଡ଼ ନିଷ୍ପତ୍ତି। ନିକଟରେ ଦକ୍ଷିଣ କୋରିଆ ପରମାଣୁ ଯୁଦ୍ଧାସ୍ତ୍ର ପରୀକ୍ଷଣକୁ ବଢ଼ାଇବା ଲାଗି ଘୋଷଣା କରିବା ପରେ ଉତ୍ତର କୋରିଆ ଉତକ୍ଷୀପ୍ତ ହୋଇଉଠିଛି । ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ କହିଛନ୍ତି, ଯଦି ଦକ୍ଷିଣ କୋରିଆ ନର୍ଥ କୋରିଆର ସାର୍ବଭୌମତ୍ବ ଉପ‌ରେ ଆକ୍ରମଣ କରେ ତେବେ ଆମେ ତା ଉପରେ ସମସ୍ତ ଶକ୍ତି ଖଟାଇ ହମଲା କରିବୁ । ଏଥିରେ ପରାମଣୁ ବୋମାର ପ୍ରୟୋଗ ମଧ୍ୟ କରାଯିବ । 

ଦକ୍ଷିଣ କୋରିଆକୁ ଧମକ ଦେଇ କିମ୍‌ କହିଛନ୍ତି, ଯଦି ଏଭଳି ସ୍ଥିତି ସୃଷ୍ଟି ହୁଏ ତେବେ ସିଓଲ ଏବଂ ଦକ୍ଷିଣ କୋରିଆର ଅସ୍ତିତ୍ବ ସବୁଦିନ ପାଇଁ ହଜିଯିବ । ସେପଟେ କିମ୍‌ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କୁ ଏକ ଅଜବ ବ୍ୟକ୍ତିର ଆଖ୍ୟା ଦେଇଛନ୍ତି । ରାଷ୍ଟ୍ରପତି ୟୁନଙ୍କୁ ଟାର୍ଗେଟ କରି କିମ୍‌ କହିଛନ୍ତି, ସେ ପରମାଣୁ ଯୁଦ୍ଧାସ୍ତ୍ର ଥିବା ଦେଶଗୁଡ଼ିକ ସହ ନିଜ ଦେଶକୁ ତୁଳନା କରୁଛନ୍ତି । କିମ୍‌ଙ୍କ ଭଳି ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ ମଧ୍ୟ ଦକ୍ଷିଣ କୋରିଆକୁ ଟାର୍ଗେଟ କରିଛନ୍ତି । ଦକ୍ଷିଣ କୋରିଆର ମିସାଇଲ୍‌ ପରୀକ୍ଷଣକୁ ନେଇ ସେ କହିଛନ୍ତି, ପାରମ୍ପରି ଯୁଦ୍ଧାସ୍ତ୍ର ସହ ଉତ୍ତର କୋରିଆର ପରମାଣୁ ଯୁଦ୍ଧାସ୍ତ୍ରର ତୁଳନା କରାଯାଇପାରିବ ନାହିଁ ।