ନୂଆଦିଲ୍ଲୀ: ଉତ୍ତରକୋରିଆ ନେତା କିମ ଜୋଙ୍ଗ୍ ଉନ୍ ଦକ୍ଷିଣ କୋରିଆ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ସମରାଭ୍ୟାସକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଉତ୍ତର କୋରିଆର ନେତା ଶତ୍ରୁ ମାନଙ୍କୁ ମୁକାବିଲା କରିବା ପାଇଁ ଦେଶର ପରମାଣୁ ଶକ୍ତିକୁ ଦ୍ରୁତ ଗତିରେ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଦିନ ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି। ପରମାଣୁ ସାମର୍ଥ୍ୟ ବ୍ୟବସ୍ଥା ସହିତ ସଜ୍ଜିତ ସବୁଠାରୁ ଉନ୍ନତ ଯୁଦ୍ଧଜାହାଜକୁ ଯାଞ୍ଚ କରିବା ସମୟରେ କିମ୍ ଏହି ବୟାନ ଦେଇଛନ୍ତି ।
ଉତ୍ତର କୋରିଆର ନ୍ୟୁଜ ଏଜେନ୍ସି 'କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି' (KCNA) ର ଖବର ଅନୁଯାୟୀ, ଏପ୍ରିଲରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ୫ ହଜାର ଟନ୍ କ୍ଷମତା ବିଶିଷ୍ଟ ଯୁଦ୍ଧ ଜାହାଜ 'ଚୋ ହୟୋନ୍' ଯାଞ୍ଚ କରିବା ସମୟରେ କିମ୍ ଜୋଙ୍ଗ ଉନ୍ କହିଛନ୍ତି ଯେ, ଆମେରିକା ଏବଂ ଦକ୍ଷିଣ କୋରିଆର ମିଳିତ ସାମରିକ ଅଭ୍ୟାସ ଶତ୍ରୁତା ଏବଂ ଯୁଦ୍ଧ ଉସକାଇବା ପାଇଁ ସେମାନଙ୍କର କଥିତ ଇଚ୍ଛାକୁ ଦର୍ଶାଇଥାଏ । ଉତ୍ତର କୋରିଆର ନେତା ଦାବି କରିଛନ୍ତି ଯେ, ଏହି ସାମରିକ ଅଭ୍ୟାସରେ ପରମାଣୁ ଅସ୍ତ୍ରଶସ୍ତ୍ର ସାମିଲ ହେବା ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଉତ୍ତେଜନାପୂର୍ଣ୍ଣ କରିଛି ଏବଂ ଉତ୍ତର କୋରିଆକୁ ଏବେ ଏହାର ଜବାବ ଦେବା ପାଇଁ ସକ୍ରିୟ ଏବଂ ବ୍ୟାପକ ପଦକ୍ଷେପ ନେବାକୁ ପଡିବ।
'KCNA' ଏହାର ରିପୋର୍ଟରେ କିମ୍ ଜୋଙ୍ଗ ଉନ୍ ଙ୍କୁ ଉଦ୍ଧୃତ କରି କହିଛି,"DPRK (ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ) ଚାରିପାଖରେ ସୁରକ୍ଷା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି। ଏପରି ପରିସ୍ଥିତିରେ, ଆମକୁ ଆମର ବର୍ତ୍ତମାନର ସାମରିକ ନୀତି ଏବଂ ଅଭ୍ୟାସରେ ଏକ ବଡ଼ ପରିବର୍ତ୍ତନ ଆଣିବା ଏବଂ ଦ୍ରୁତ ଗତିରେ ପରମାଣୁ ଶକ୍ତି ବିସ୍ତାର କରିବାକୁ ପଡିବ।" ନୌସେନା ବିଧ୍ୱଂସକ 'ଚୋ ହୟୋନ୍'ର ପ୍ରଶଂସା କରି କିମ୍ କହିଛନ୍ତି ଯେ ଏହା ସେନାର ଶକ୍ତି ବୃଦ୍ଧି କରିବ।