ନୂଆଦିଲ୍ଲୀ, ୧୮/୦୭ : ଚୀନ୍‌ର କମ୍ପାନି ମୁନ୍‌ଶଟ୍‌ ଏଆଇ ନିଜର ନୂଆ ଏଆଇ ମଡେଲ ‘କିମି କେ-୩’ ଆଣିଛି। କମ୍ପାନିର ଦାବି, ଏହା ୨.୮ ଟ୍ରିଲିଅନ୍‌ ପାରାମିଟର ବିଶିଷ୍ଟ ବିଶ୍ୱର ପ୍ରଥମ ଓପନ୍‌ ମଡେଲ । ଏଥିରେ ୧୦ ଲକ୍ଷ ଟୋକନ୍‌ର କଣ୍ଟ୍ରାକ୍ଟ ୱିଣ୍ଡୋ ଦିଆଯାଇଛି । ପୂର୍ବ ମଡେଲ କିମି କେ-୨ ତୁଳନାରେ ଏହାର ସ୍କେଲିଂ ଦକ୍ଷତା ପ୍ରାୟ ୨.୫ ଗୁଣ ଭଲ । ଏଆଇ ମଡେଲ ମଣିଷର ମସ୍ତିଷ୍କ ଭଳି, ଯାହାକୁ ବହୁତ ବଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ପାରାମିଟରକୁ ଏଆଇର ଅନୁଭବ କୁହାଯାଇପାରେ ।

ଶିଶୁ ବଡ଼ ହେବା ସହିତ ଯେତେ ଅଧିକ କଥା ଶିଖେ, ତା’ର ମସ୍ତିଷ୍କ ସେତେ ଦ୍ରୁତ କାମ କରେ । ଏଆଇ ଜଗତରେ ଯେଉଁ ମଡେଲ ପାଖରେ ଯେତେ ଅଧିକ ପାରାମିଟର ଥାଏ, ତାକୁ ସେତେ ବୁଦ୍ଧିଆ କୁହାଯାଏ । ୨୮ ଲକ୍ଷ କୋଟି ପାରାମିଟର ଅର୍ଥ ଏହି ମଡେଲର ମସ୍ତିଷ୍କ ଖୁବ୍‌ ବିଶାଳ ଏବଂ ଏହା ଅତି ଜଟିଳ ପ୍ରଶ୍ନକୁ ମଣିଷ ଭଳି ବୁଝି ସମାଧାନ କରିପାରେ । ଏଥିରେ ‘ଟି’ର ଅର୍ଥ ଟ୍ରିଲିଅନ । ଏହି ମଡେଲରେ ୨.୮ ଟ୍ରିଲିଅନ ପାରାମିଟର ଥିବାରୁ ଏହାକୁ ‘୩ଟି ଶ୍ରେଣୀ’ର ମଡେଲ କୁହାଯାଉଛି । ଏଆଇ ଦୁନିଆରେ ୩ଟି ଶ୍ରେଣୀରେ ପହଞ୍ଚିବା ବହୁତ ବଡ଼ ଉପଲବ୍ଧି, କାରଣ ଏତେ ବଡ଼ ମଡେଲ ଅଦ୍ୟାବଧି କେବଳ ଆମେରିକାର ଓପନ୍‌ ଏଆଇ ଭଳି ହାତଗଣତି କମ୍ପାନି ପାଖରେ ଥିଲା । କଣ୍ଟେକ୍‌ଷ୍ଟ ୱିଣ୍ଡୋର ଅର୍ଥ ଏଆଇର ‘ସ୍ମରଣଶକ୍ତି’ ବା ଥରକେ ପଢ଼ିବାର କ୍ଷମତା । ଯେତେବେଳେ ଆପଣ ଏଆଇ ସହ ଚାଟ୍‌ କରନ୍ତି ତାହା ଥରକେ କେତେ ଲମ୍ବା ଅନୁଚ୍ଛେଦ ମନେରଖିପାରେ, ତାହା ତା’ର କଣ୍ଟେକ୍‌ଷ୍ଟ ୱିଣ୍ଡୋ । ସ୍କେଲିଂ ଦକ୍ଷତା ୨.୫ ଗୁଣ ଭଲ ହେବା ଅର୍ଥମୁନ୍‌ଶଟ୍‌ କମ୍ପାନି ନିଜ ସଫ୍ଟୱେରକୁ ଏତେ କୁଶଳୀ କରିଛି ଯେ ଏହା ନିଜର ପୂର୍ବ ମଡେଲ ତୁଳନାରେ ଅଢ଼େଇ ଗୁଣ କମ୍‌ କମ୍ପ୍ୟୁଟର ପାୱାର ଖର୍ଚ୍ଚ କରି ତା’ଠୁ ଢେର ଦ୍ରୁତ ବେଗରେ ଆହୁରି ବଡ଼ କାମ କରିପାରେ ।

ଆମେରିକୀୟ କମ୍ପାନି ନିଜର ବଡ଼ ମଡେଲକୁ ଲୁଚାଇ ରଖିଛନ୍ତି । ଏହାକୁ କ୍ଲୋଜ୍‌ଡ ମଡେଲ କୁହାଯାଏ । ସେମାନେ କେବଳ ଏଆଇ ମଡେଲକୁ ଆପଣଙ୍କୁ ବ୍ୟବହାର କରିବାକୁ ଦିଅନ୍ତି। କିନ୍ତୁ ଏହା କେମିତି ପ୍ରସ୍ତୁତ ହୋଇଛି, କହନ୍ତି ନାହିଁ। ଚୀନ୍‌ର କମ୍ପାନି ଏହାକୁ ‘ଓପନ୍‌ ମଡେଲ’ କରିଛି। ଅର୍ଥାତ୍‌ ଏହି ଶକ୍ତିଶାଳୀ ମସ୍ତିଷ୍କର ‘ବ୍ଲୁପ୍ରିଣ୍ଟ’କୁ ବିଶ୍ୱର ସଫ୍ଟୱେର ଡେଭ୍‌ଲପର୍‌ ଓ ବୈଜ୍ଞାନିକଙ୍କ ପାଇଁ ଖୋଲାଖୋଲି ଜାରି କରିବ। ଫଳରେ ବିଶ୍ୱର ଯେକୌଣସି ଇଞ୍ଜିନିୟର ଏହି ଏଆଇକୁ ନେଇ ନିଜ ହିସାବରେ ବଦଳାଇ ପାରିବେ। ନୂଆ ଆପ୍‌ ପ୍ରସ୍ତୁତ କରିପାରିବେ କିମ୍ବା ନିଜ କାମରେ ଉପଯୋଗ କରିପାରିବେ। ମୁନ୍‌ଶଟ୍‌ ଏଆଇ ବ୍ଲଗ୍‌ରେ କହିଛି, କିମି କେ-୩କୁ ‘କିମି ଡେଲ୍‌ଟା ଆଟେନ୍‌ସନ’ ଓ ‘ଆଟେନ୍‌ସନ ରେଜିଡ୍ୟୁଲସ’ ଉପରେ ପ୍ରସ୍ତୁତ କରାଯାଇଛି । କୋଡିଂ, ଜ୍ଞାନ ସମ୍ବନ୍ଧୀୟ କାମ ଓ ରିଜନିଂ ଭଳି ଜଟିଳ କାମ ପାଇଁ ଏହି ମଡେଲକୁ ଡିଜାଇନ୍‌ କରାଯାଇଛି । କମ୍ପାନି ଅନୁସାରେ, ପୂର୍ଣ୍ଣ ମଡେଲକୁ ଆସନ୍ତା ୨୭ ତାରିଖ ସୁଦ୍ଧା ଜାରି କରାଯିବ।

ଆହୁରି ପଢନ୍ତୁ- Donald Trump: 'ଟ୍ରମ୍ପଙ୍କୁ ହତ୍ୟା କଲେ ୯ କୋଟି ଟଙ୍କାର ପୁରସ୍କାର ମିଳିବ' , କିଏ କଲା ବଡ଼ ଘୋଷଣା ?

ଜନ୍ମ ତାରିଖରୁ ଜାଣନ୍ତୁ ପ୍ରେମରେ ସଫଳ ହେବେ ନା ବିଫଳ ?| ଭିଡିଓରେ ଦେଖନ୍ତୁ ଜାଣି ନିଅନ୍ତୁ..​​​​​​​