ନବରଙ୍ଗପୁର, ୨୬/୫: ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସ୍ଥାନୀୟ ବିନାୟକ ଭବନ ପରିସରରେ ସାବିତ୍ରୀ ବ୍ରତ ପାଳନ ହୋଇଛି। ଉକ୍ତ ପୂଜାରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସମସ୍ତ କିନ୍ନର ଯୋଗ ଦେଇ ଭାରତୀୟ ସୈନିକମାନଙ୍କ ସୁରକ୍ଷା ଓ ଦୀର୍ଘାୟୁ ନିମନ୍ତେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। 

ସାବିତ୍ରୀ ବ୍ରତରେ ସମସ୍ତ ମହିଳା ନିଜ ସ୍ୱାମୀର ଦୀର୍ଘାୟୁ କାମନା ନିମନ୍ତେ ପୂଜା କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା କିନ୍ନରମାନେ ଦେଶର ବୀର ସୈନିକ ମାନଙ୍କର ଦୀର୍ଘାୟୁ ସମେତ ଜଗତ କଲ୍ୟାଣ ନିମନ୍ତେ ପୂଜା କରିଥିବା ଜାଣି ସାଧାରଣ ଜନତା ବହୁତ୍ ଖୁସି ପ୍ରକଟ କରିବା ସାଥେ ସାଥେ ଏପରି ଅଭିନବ ପ୍ରୟାସକୁ ପ୍ରଶଂସା କରିଛନ୍ତି। ପୂଜା ସମୟରେ ଜିଲ୍ଲା କିନ୍ନର ସଂଘର ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ.ବାଲା କୃଷ୍ଣ ରାଓ ସମେତ ସଂଘର ଉପଦେଷ୍ଟା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ଵର୍ଣାଲତା ପଟ୍ଟନାୟକ, ଦୁର୍ଗା ପାଢ଼ୀ, ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ସଙ୍ଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୂମକି କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର ସମେତ ଜିଲ୍ଲାର କୋଣ ଅନୁକୋଣରୁ ଅନେକ କିନ୍ନର ଯୋଗ ଦେଇଥିଲେ।