ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ(କେକେଆର)ର ନୂଆ ଅଧିନାୟକଙ୍କୁ ନେଇ ଚର୍ଚ୍ଚା । ଅଜିଙ୍କ୍ୟ ରାହାଣେ କେକେଆରର ନେତୃତ୍ବ ନେବେ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ କେକେଆର ଅଧିନାୟକ ହେବେ । ଆଇପିଏଲ ୨୦୨୪ ବିଜେତା କେକେଆର ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପୁଣି ଥରେ ଟ୍ରଫି ଜିତିବାକୁ ପ୍ରୟାସ କରିବ । ଅତୀତରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିବା ରାହାଣେ ଏଥର ଆଇପିଏଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳର ନେତୃତ୍ୱ ନେବେ । 

ଭେଙ୍କଟେଶ ଆୟର ଦଳର ଉପ ଅଧିନାୟକ ରହିବେ । ଆଇପିଏଲର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ମଧ୍ୟରୁ ଗୋଟିଏ KKRର ନେତୃତ୍ୱ ନେବା ସମ୍ମାନର କଥା ବୋଲି ରାହାଣେ କହିଛନ୍ତି । ସେ କହିଛନ୍ତି, ‘ମୁଁ ଭାବୁଛି ଆମର ଏକ ଉତ୍କୃଷ୍ଟ ଏବଂ ସନ୍ତୁଳିତ ଦଳ ଅଛି । ମୁଁ ସମସ୍ତଙ୍କ ସହିତ କାମ କରିବାକୁ ଏବଂ ଆମର ଟାଇଟଲ୍ ଜିଣିବାର ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଅପେକ୍ଷା କରିଛି ।’




କେକେଆାର ସିଇଓ ଭେଙ୍କି ମହୀଶୂର କହିଛନ୍ତି ଯେ, ଆମେ ଅଜିଙ୍କ୍ୟ ରାହାଣେଙ୍କ ପରି ଜଣେ ବ୍ୟକ୍ତିଙ୍କୁ ପାଇ ଖୁସି । ରାହାରେ ନିଜର ଦକ୍ଷତା ବଳରେ ଟିମ୍‌କୁ ଆଗକୁ ନେବେ ।  ଏହା ସହିତ ଭେଙ୍କଟେଶ ଆୟର କେକେଆରର ଜଣେ ଉତ୍ତମ ଖେଳାଳି । ତାଙ୍କ ପାଖରେ ନେତୃତ୍ବ ନେବାର ଦକ୍ଷତା ରହିଛି   ।  ଆମେ ନିଶ୍ଚିତ ଯେ ସେମାନେ ଆମର ଟାଇଟଲ୍‌ ହାସଲର ଏହି ଯାତ୍ରାକୁ ଆଗକୁ ନେବେ । ତେବେ ଗତ ଆଇପିଏଲ ସିଜିନ୍‌ରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ କୋଲକାତା ନାଇଟ୍‌ ରାଇଡର୍ସ ଟ୍ରଫି ଜିତିଥିଲା । କିନ୍ତୁ ୨୦୨୫ ଆଇପିଏଲ ଲାଗି ହୋଇଥିବା ମେଗା ଅକ୍ସନରେ ତାଙ୍କୁ ରିଲିଜ୍‌ କରି ଦେଇଥିଲା ଦଳ । ଏବେ ଶ୍ରେୟସ ଆୟାର ପଞ୍ଜାବ କିଙ୍ଗ୍ସ ଟିମ୍‌ରେ ସାମିଲ ହୋଇଛନ୍ତି ।