କୋଲକାତା,୧୧।୧୧:  କୋଲକାତାର ପ୍ରସିଦ୍ଧ ଜାଦୁଗର ଜୁନିଅର ପିସି ସରକାର ନିଜର ତିନି ଝିଅ ବିବାହ ପାଇଁ ରଖିଛନ୍ତି ସ୍ବୟମ୍ବର। ଏଭଳି ଏକ ବିଜ୍ଞାପନ ରବିବାର ଖବର କାଗଜର ‘ପାତ୍ର ପାତ୍ରି ଚାଏ’(ବିବାହ ପାଇଁ ପାତ୍ରୀ/ପାତ୍ରୀଙ୍କ ଉଦ୍ଧିଷ୍ଟ) କଲମ୍‌ରେ ଛପାଯାଇଛି। ଏହାପରେ ଏହି ବିଜ୍ଞାପନର ଚର୍ଚ୍ଚା ଜୋରଦାର ଚାଲିଛି। ବହୁ ଲୋକ ଏହି ବିଜ୍ଞାପନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେଭଳି କିଛି ଲୋକ ଏହାର ସତ୍ୟତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ବିଜ୍ଞାପନ ଅନୁସାରେ, ଜାଦୁଗର ପିସି ସରକାର ଜୁନିଅର ନିଜ ତିନି ଝିଅଙ୍କ ପାଇଁ ସ୍ବୟମ୍ବର ଆୟୋଜିତ କରିବାକୁ ଚାହାନ୍ତି। ଏଥିପାଇଁ ତାଙ୍କୁ ତିନି ଯୋଗ୍ୟ ବରର ସନ୍ଧାନ ରହିଛି।

ସରକାର ବିଜ୍ଞାପନ ପାଇଁ ଯେଉଁ ସର୍ତ୍ତ ରଖିଛନ୍ତି, ତାହା ଲୋକଙ୍କୁ ଚକିତ କରିଛି। ବିଜ୍ଞାପନରେ ସରକାର ଲେଖିଛନ୍ତି, ତାଙ୍କର ତିନି ଝିଅଙ୍କ ପାଇଁ ଯେ କୌଣସି ଜାତିର ଡେଙ୍ଗା ଓ ସୁନ୍ଦର ବର ଦରକାର, ଯାହାର ବୟସ ୩୮ ରୁ ୪୫ ବର୍ଷ ଭିତରେ ଥିବ ଓ ନିଜେ ଆତ୍ମନିର୍ଭରଶୀଳ ଥିବେ। ଏହି ବିଜ୍ଞାପନ ପରମ୍ପରାଗତ ବିବାହ ବିଜ୍ଞାପନଠାରୁ ଭିନ୍ନ ରହିଛି।  

ପ୍ରସିଦ୍ଧ ଜାଦୁଗର ପିସି ସରକାର ଜୁନିଅରଙ୍କ ଝିଅମାନେ ମଧ୍ୟ ଖୁବ୍ ପ୍ରସିଦ୍ଧ। ତାଙ୍କର ତିନି ଝିଅ ମେନକା, ମୁମତାଜ ଓ ମୌବାନି ମଧ୍ୟ ନିଜ ନିଜ କ୍ଷେତ୍ରରେ ଖୁବ୍ ନେମ୍-ଫେମ୍ ପାଇଛନ୍ତି।   ସବୁଠାରୁ ବଡ଼ ଝିଅ ମେନକା ନିଜ ବାପାଙ୍କ ଭଳି ଦର୍ଶକଙ୍କୁ ଯାଦୁଗରି ଦେଖାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରାନ୍ତି। ସେଭଳି ମୁମତାଭ ଓ ମୌବାନି ଦୁହେଁ ଅଭିନୟ ଦୁନିଆରେ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ଉଲ୍ଲେଖନୀୟ ଯେ, ଜୁନିଅର ପିସି(ପ୍ରଦୀପ ଚନ୍ଦ୍ର) ସରକାର ହେଉଛନ୍ତି  ଦେଶର ସବୁଠାରୁ ବିଖ୍ୟାତ ଜାଦୁଗର ପିସି (ପ୍ରତୁଲ ଚନ୍ଦ୍ର) ସରକାରଙ୍କ ପୁଅ।