ନୂଆଦିଲ୍ଲୀ,୯।୩: କୋଲକାତା ଆରଜି କର ହସ୍ପିଟାଲର ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ପୀଡିତାଙ୍କୁ ନ୍ୟାୟ ଦାବିରେ ଡାକ୍ତରଙ୍କ ଆନ୍ଦୋଳନ ତୀବ୍ର ହୋଇଥିଲା। ଏବେ ପୀଡିତାଙ୍କା ମା’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଶୋକ ସନ୍ତପ୍ତ ମା’ ପଶ୍ଚିମବଙ୍ଗରେ ମହିଳାଙ୍କ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛି। ତାଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବା ଓ ଆମର ଝିଅକୁ ନ୍ୟାୟ ଦେବା ପାଇଁ ଅପିଲ କରିବାକୁ ଚାହୁଁଛି। ସେ କହିଛନ୍ତି ଆମ ଝିଅ ବଡ଼ ସ୍ବପ୍ନ ଦେଖିଥିଲା। ହେଲେ ଖୁବ୍ କଷ୍ଟ ଦେଇ ମାରିଦେଲେ।’
ପୀଡିତାଙ୍କ ମା’ କହିଛନ୍ତି, ୭ ମାସ ହୋଇଗଲା, କିନ୍ତୁ ନ୍ୟାୟ କେଉଁଠି ମିଳିଲା ? ଆମ ପାଖରେ ତ ଏବେ ଝିଅର ମୃତ୍ୟୁ ପ୍ରମାଣ ପତ୍ର ବି ନାହିଁ। ଯଦି ମହିଳା ଚିକିତ୍ସକ ନିଜର କାର୍ଯ୍ୟସ୍ଥଳରେ ଅସୁରକ୍ଷିତ ତେବେ ସୁରକ୍ଷା କେଉଁଠି ଅଛି ? ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ତାଙ୍କ ମା’ ଇଛା ପ୍ରକାଶ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ଅଗ୍ନିମିତ୍ର ପଲ୍ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସମୟ ମାଗିବାର ଏକ ପକ୍ରିୟା ରହିଛି। ମୋତେ ଆଶା ଅଛି ଯେ, ଆମ ପ୍ରଧାନମନ୍ତ୍ରୀ ତାଙ୍କୁ(ବାପା-ମା’ଙ୍କୁ) କିଛି ସମୟ ଦେବେ ଓ ତାଙ୍କର ଅପିଲ୍ ଶୁଣିବେ।’
ପୀଡିତାଙ୍କ ବାପା-ମା ଗତ କିଛି ଦିନ ତଳେ ନିରାଶ ପ୍ରକାଶ କରିଥିଲେ। ସେ କହିଥିଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ ଭେଟି ପାରିନଥିଲେ। ସେ ୨୭ ଫେବୃଆରୀରେ ଦିଲ୍ଲୀ ଆସିଥିଲେ ଓ ପୁଣିଥରେ କୋଲକାତାରେ ନିଜ ଘରକୁ ଫେରିଯାଇଥିଲେ। ସାମ୍ବାଦିକଙ୍କୁ କହିଥିଲେ ନ୍ୟାୟ ଦାବି ରଖି ଆନ୍ଦୋଳନ ଜାରି ରଖିବେ।