ଜୟପୁର,୦୮/୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ  ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି  ଜିଲ୍ଲାର ବହୁ ଦଳୀୟ ପ୍ରତିନିଧି । ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ଜିଲ୍ଲା ପରିଷଦ ସଭ୍ୟ ଏବଂ ଦୁଇ  ଜଣ ବ୍ଲକ ଅଧ୍ୟକ୍ଷା । ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ଲାଗି  ଲବି କରିବାକୁ ସେମାନେ ନବୀନ ନିବାସ ଯାଇଥିବା  ରାଜନୈତିକ ଚର୍ଚ୍ଚା ହେଉଛି । ଅଥଚ ଯେଉଁମାନେ  ନବୀନଙ୍କୁ ଭେଟିଛନ୍ତି, ସେମାନଙ୍କ ସହ ଯୋଗାଯୋଗ  କଲେ ବି କିଛି କହିବାକୁ ସିଧାସଳଖ ମନା କରି  ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା  ସସ୍ମିତା ମେଲେକା, ଉପାଧ୍ୟକ୍ଷ ରାଧବିନୋଦ  ସାମନ୍ତରାୟ ଏବଂ ଅନ୍ୟ କେତେକ ଜିଲ୍ଲା ପରିଷଦ  ସଦସ୍ୟ ଭୁବନେଶ୍ୱର ଯାଇନଥିବା ଜଣାପଡ଼ିଛି ।  




ବିଶେଷ ସୂତ୍ରରୁ ମିଳିଥିବା ଖବର  ଅନୁଯାୟୀ, ଜିଲ୍ଲା ସଭାପତି ପଦ ଲାଗି କସରତ  ଆରମ୍ଭ ହୋଇଛି । ନବୀନଙ୍କୁ ଭେଟିଥିବା ଅଧିକାଂଶ ଜିଲ୍ଲାପରିଷଦ ସଦସ୍ୟ ଓ ବ୍ଲକ ଅଧ୍ୟକ୍ଷା ହେଉଛନ୍ତି  ପୂର୍ବତନ ସାଂସଦ ଝିନ୍ନ ହିକକା ଓ ପୂର୍ବତନ  ମନ୍ତ୍ରୀ ଶ୍ରୀ ନନ୍ଦଙ୍କ ସମର୍ଥକ । ପୂର୍ବତନ ବିଜେଡି  ଜିଲ୍ଲା ସଭାପତି ତଥା କେସିସି ବ୍ୟାଙ୍କ ସଭାପତି  ଈଶ୍ୱର ପାଣିଗ୍ରାହୀଙ୍କ ବିରୋଧୀ ଭାବେ ସେମାନେ  ବେଶ୍‌ ଜଣାଶୁଣା । ଆଗକୁ ସଭାପତି ଚୟନ ହେବ ।  ସେଥିଲାଗି ଏବେଠୁ ଲବି ଆରମ୍ଭ ହୋଇଥିବା  କୁହାଯାଉଛି । ନବୀନଙ୍କ ଆଜି ଭେଟିଥିବା ୮ ଜଣ  ଜିଲ୍ଲା ପରିଷଦ ସଭ୍ୟ ହେଲେ ରଶ୍ମି ରଥ, ତପତି  ପଟ୍ଟନାୟକ, କନକଲତା ପେଣ୍ଠିଆ, ଗୀତା ମାଝି,  ମଞ୍ଜୁଳା ଘାସି, ତ୍ରିପତି ଚାଲାଣ, ମାଝି ହିମିରିକା  ଓ ରାଜେଣ ମହୁରିଆ । ସେହିପରି ଦୁଇ ବ୍ଲକ  ଅଧ୍ୟକ୍ଷା ହେଲେ ଜୟପୁରର ତିଳୋତ୍ତମା ମୁଦୁଲି  ଓ ବୋରିଗୁମ୍ମାର ଦୀପ୍ତିମୟୀ ନାୟକ।