କଲ୍ୟାଣସିଂହପୁର,୨୨/୦୫ : ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍। ଆର୍ଥିକ ଅନିୟମିତତା ଅଭିଯୋଗରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପସ୍ MD ତାରିଣୀ ପ୍ରସାଦ ତ୍ରୀପାଠୀଙ୍କ ଜିଲୁଣ୍ଡି ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ତାଙ୍କ ବିରୋଧରେ ପ୍ରାୟ ୭୦ ଲକ୍ଷ ଟଙ୍କା ଆର୍ଥିକ ହେରଫେର ଅଭିଯୋଗ ହୋଇଛି।
ଆଜି ସକାଳୁ ସକାଳୁ , ୬ ଜଣିଆ ଭିଜିଲାନ୍ସର ଟିମ୍ ଏହି ଚଢାଉ କରୁଛନ୍ତି । ଲ୍ୟାମ୍ପସର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା । ଲ୍ୟାମ୍ପସରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷୀମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଭାଗ ତଦନ୍ତ କରି ଚଢାଉ କରିଥିବା ସୂଚନା ମିଳିଛି। ବିଭାଗୀୟ ତଦନ୍ତ ରିପୋର୍ଟରେ ୩୩ ଜଣ ଚାଷୀଙ୍କ ଅଜାଣତରେ ୨୮ ଲକ୍ଷ ୨୯ ହଜାର ଟଙ୍କା ଉଠାଯାଇଥିବା ସହ ନିଜ ପରିବାର ସଦସ୍ୟଙ୍କ ନାମରେ ୭୫ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହଡପ କରାଯାଇଥିବା ଉଲ୍ଲେଖ ରହିଛି।
ଆହୁରି ପଢନ୍ତୁ-Extreme Heat Wave : ଓଡ଼ିଶାରେ ତାତି ବିସ୍ଫୋରଣ, ସପ୍ତାହେ ନିଆଁ ମାଡ଼ , ୨୮ରେ ଲଘୁଚାପ, ଜୁନ୍ ପ୍ରଥମ ସପ୍ତାହରେ ଆଶ୍ୱସ୍ତି ଆଶା
ତଦନ୍ତ ଅନୁଯାୟୀ MD ତ୍ରିପାଠୀଙ୍କ ମିନି ବ୍ୟାଙ୍କ ଆକାଉଣ୍ଟରୁ ୨୮ ଲକ୍ଷ ୨୯ ହଜାର ଟଙ୍କା, ଭାଇଙ୍କ ନାମରେ ୧୪ ଲକ୍ଷ ୨୧ ହଜାର, ବାପାଙ୍କ ନାମରେ ୩ ଲକ୍ଷ ୬୫ ହଜାର, ସ୍ତ୍ରୀ ଓ ଅନ୍ୟ ସମ୍ପର୍କୀୟଙ୍କ ନାମରେ ୬ ଲକ୍ଷ ୬୫ ହଜାର ଏବଂ ନିଜ ନାମରେ ୨୨ ଲକ୍ଷ ଟଙ୍କା ହିସାବରକ୍ଷକଙ୍କ ଅଜାଣତରେ ବ୍ୟାଙ୍କରୁ ଉଠାଯାଇଥିବା ଜଣାପଡ଼ିଛି।ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।