ମୁମ୍ବାଇ ୩୦/୦୭: କ୍ରିତି ସାନନ୍ଙ୍କ ପାଇଁ ଡବଲ୍ ସେଲିବ୍ରେସନ୍ । ନିକଟରେ ସେ ୩୫ତମ ଜନ୍ମଦିନ ପାଳନ କରିଛନ୍ତି । ସେଣ୍ଟ୍ ଟ୍ରୋପେଜ୍ରେ ଭଉଣୀ ନୁପୂର ଓ ପୁରୁଷ ବନ୍ଧୁ କରନ ବାହିୟାଙ୍କ ସହ ସେ ଜନ୍ମଦିନ ପାଳନ କରିଥିଲେ । ତାଙ୍କ ବିଉଟି ବ୍ରାଣ୍ଡ୍ ହାଇପେନ୍କୁ ୨ ବର୍ଷ ପୂରିଛି । ଏ ଅବସରରେ କମ୍ପାନି ବଜାରରେ ନିଜର ପ୍ରଦର୍ଶନ ବିଷୟରେ କହିଛି । ହାଇପେନ୍ର ସହ-ପ୍ରତିଷ୍ଠାତା ଓ ସିଇଓ ତରୁନ ଶର୍ମା କହିଛନ୍ତି, ଦୁଇ ବର୍ଷରେ ହାଇପେନ୍ର ଆୟ ୪୦୦ କୋଟି ଟପିଛି । ଏତେ କମ୍ ଅବଧିରେ ଏହି ସଫଳତା ଏକ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି । ମାତ୍ର ଗୋଟିଏ ବର୍ଷରେ କମ୍ପାନିର ଗ୍ରାହକଙ୍କ ସଂଖ୍ୟା ୧୦ ଲକ୍ଷରୁ ୪୦ ଲକ୍ଷ ହୋଇଛି ।

୨୦୨୩, ଜୁଲାଇରେ କ୍ରିତିଙ୍କ ୩୩ତମ ଜନ୍ମଦିନ ଅବସରରେ ହାଇପେନ୍ ବ୍ରାଣ୍ଡ୍ ଲଞ୍ଚ୍ ହୋଇଥିଲା । ଏହି ଦୁଇ ବର୍ଷର ଯାତ୍ରାକୁ କ୍ରିତି ଅନନ୍ୟ ବୋଲି କହିଛନ୍ତି । ଶୂନରୁ ହାଇପେନ୍କୁ ବିକଶିତ କରିବା ତାଙ୍କ ଜୀବନର ଅନ୍ୟତମ ବ୍ୟକ୍ତିଗତ ଓ ପୂର୍ଣ୍ଣତା ପ୍ରାପ୍ତିର ଯାତ୍ରା ବୋଲି ସେ କହିଛନ୍ତି । ଶେଷ ଥର ଫିଲ୍ମ ‘ଦୋ ପତ୍ତି’ରେ କାଜୋଲଙ୍କ ସହ ପରଦାକୁ ଆସିଥିଲେ କ୍ରିତି । ଏଥିରେ ତାଙ୍କର ଡବଲ୍ ରୋଲ୍ ଥିଲା । ନେଟ୍ଫ୍ଲିକ୍ସରେ ଫିଲ୍ମକୁ ସଫଳତା ମିଳିଥିଲା । ଆଗକୁ ସାଉଥ୍ ଷ୍ଟାର୍ ଧନୁଷଙ୍କ ସହ ‘ତେରେ ଇଶ୍କ ମେଁ’ରେ ତାଙ୍କୁ ଦେଖିବାକୁ ମିଳିବ ।