ଭୁବନେଶ୍ୱର,୨୬/୧୦: ମାଡି ଆସୁଛି ବାତ୍ୟା । ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇଛି । ଆଉ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସଜାଗ । ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି । ସବୁ ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି । ଜଳବନ୍ଦୀ ପଏଣ୍ଟକୁ ନଜରରେ ରଖାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ୍ ପାଇଁ ଜେନେରେଟର ବ୍ୟବସ୍ଥା ହୋଇଛି । ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୦ ଇ-ବସ୍ ଆସିବ । ଝାରସୁଗୁଡ଼ା, ବାରିପଦା, ଅନୁଗୁଳ ଓ କେନ୍ଦୁଝରରେ ୨୫ଟି ଲେଖାଏଁ ଇ ବସ୍ ଚାଲିବ । ସେହିପରି ସମ୍ବଲପୁର ଓ ବ୍ରହ୍ମପୁର ମହାନଗର ନିଗମରେ ୫୦ ଟି ଲେଖାଏଁ ବସ୍ ଚାଲିବ । କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛନ୍ତି । ଏହାପରେ ୪୦୦ ଇ-ବସକୁ ପ୍ରଧାନମନ୍ତ୍ରୀ ଯୋଗାଇ ଦେବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି,ଆଉ ସିଏସଆର ନୂହେଁ, ଏଣିକି ଆହାର ପାଇଁ ରାଜ୍ୟ ସରକାର ବହନ କରିବେ ଖର୍ଚ୍ଚ । ୪୧୨ କୋଟି ଟଙ୍କା ସରକାର ବଜେଟ କରିଥିବା ବେଳେ ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।