ଭୁବନେଶ୍ୱର,୧୭/୦୧: ପରିବାରରେ କେହି ନାହାନ୍ତି, ବାପା ମା’ କିଏ ତାହା ବି ଜାଣିନାହାନ୍ତି । ଜୀବନରେ କ’ଣ ଘଟିବ, ତାହା ବି ଜଣାନଥିଲା । ହେଲେ ଅନ୍ୟ ଝିଅଙ୍କ ଭଳି ତାଙ୍କର ବି ଘରସଂସାର କରିବାକୁ ଇଚ୍ଛା ଥିଲା । ଭଗବାନଙ୍କୁ ଡାକୁଥିଲେ, ‘ହେ ପ୍ରଭୁ ମୋତେ ବି ଭଲ ଜୀବନସାଥୀଟେ ମିଳୁ’ । ଆଉ ଶେଷରେ ଭଗବାନ ତାଙ୍କ ସେହି ଇଚ୍ଛା ପୂରଣ କରିଛନ୍ତି, ତାଙ୍କ ଡାକ ଶୁଣିଛନ୍ତି । ଗୋଟିଏ ଭଲ ସାଥୀ ତାଙ୍କୁ ଦେଇଛନ୍ତି । ଶୁକ୍ରବାର ଖଣ୍ଡଗିରିସ୍ଥିତ ଜୀବନଜ୍ୟୋତି ଆଶ୍ରମରେ ଅସହାୟା ସନ୍ତୋଷିନୀ ନାୟକଙ୍କୁ ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି ମଳିପଡ଼ାର କ୍ଷୀରୋଦ ପଟ୍ଟନାୟକ ।

ସାହାନାଇ ଓ ଢୋଲର ତାଳେତାଳେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ସନ୍ତୋଷିନୀଙ୍କ ମଥାରେ କ୍ଷୀରୋଦ ସିନ୍ଦୂର ଦେଇଛନ୍ତି । ଆଉ କହିଛନ୍ତି, ‘ତୁ ଆଉ ଏକୁଟିଆ ଭାବେନି, ଆଜିଠୁ ତୁ ମୋର’ ।  ସନ୍ତୋଷିନୀ(୨୬) ଜଣେ ଅନାଥ ଝିଅ । ୨୦୧୫ରେ ମଞ୍ଚେଶ୍ୱର ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ସେତେବେଳେ ତାଙ୍କର ବୟସ ୧୦ବର୍ଷ ଥିଲା । ତାଙ୍କୁ ଜୀବନଜ୍ୟୋତି ଆଶ୍ରମରେ ଥଇଥାନ କରାଯାଇଥିଲା । ସେଠାରେ ଆଶ୍ରମ ମାଲିକ ପ୍ରଫୁଲ୍ଲ ସେନାପତି ଓ ବନଲତା ସେନାପତି ସନ୍ତୋଷିନୀଙ୍କୁ ଝିଅ ଭଳି ପାଳିଥିଲେ । ତାକୁ ପାଠ ପଢ଼ାଇଥିଲେ । ଦଶମ ପାସ କରି ସନ୍ତୋଷିନୀ ଆଇଟିଆଇ କରିଥିଲେ । ପରେ ହୋଟେଲ ମ୍ୟାନେଜମେଣ୍ଟ ବି ପଢ଼ିଥିଲେ । ଏହାରି ମଧ୍ୟରେ ହାଇଦ୍ରାବାଦରେ ସନ୍ତୋଷିନୀ ଚାକିରି ପାଇଥିଲେ । ମାତ୍ର ବିବାହ ପାଇଁ ସେ ସବୁବେଳେ ଚିନ୍ତାରେ ଥିଲେ । ଗତକିଛିଦିନ ତଳେ ଜୀବନଜ୍ୟୋତି ଆଶ୍ରମରେ ଏକ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ସନ୍ତୋଷିନୀଙ୍କୁ କ୍ଷୀରୋଦଙ୍କ ପରିବାର ଲୋକ ଦେଖିଥିଲେ । ତାକୁ ହିଁ ବୋହୂ କରିବାକୁ ମନେମନେ ଭାବିଥିଲେ ।

ପରେ କ୍ଷୀରୋଦଙ୍କ ବାପା ମାନସ ପଟ୍ଟନାୟକ ଓ ମା’ ବିନୋଦିନୀ ଆଶ୍ରମ ଆସି ସନ୍ତୋଷିନୀଙ୍କୁ ପୁଅସହ ବିବାହ କରିବାକୁ ବନଲତାଙ୍କୁ ପ୍ରସ୍ତାବ ଦେଇଥିଲେ । ବନଲତା ବି ଖୁସି ହୋଇ ସମ୍ମତି ପ୍ରକାଶ କରିଥିଲେ । ଆଜି ଉଭୟଙ୍କ ବିବାହ ହୋଇଥିଲା । ପ୍ରଶାନ୍ତ କୁମାର ପଣ୍ଡା ଓ ଗୀତାଞ୍ଜଳି ପଣ୍ଡା କନ୍ୟାଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ଭାରତୀ ମହାରଣା, ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆଶ୍ରମ ପ୍ରତିଷ୍ଠାତା ଶ୍ରୀ ସେନାପତି ଓ ତାଙ୍କ ପତ୍ନୀ ଶ୍ରୀମତୀ ସେନାପତି ବିବାହ ପରିଚାଳନା କରିଥିଲେ । ଉଭୟଙ୍କ ବିବାହ ପାଇଁ ଆଶ୍ରମରେ ଖୁସିର ଲହରି ଖେଳିଯାଇଥିଲା । ଭୋଜିଭାତର ଆସର ସହ ବାଜାଗୀତରେ ଝୁମିଥିଲେ ଅନ୍ତେବାସୀ ।