ନୂଆଦିଲ୍ଲୀ,୦୯ /୦୯: ହିମାଚଳ ପ୍ରଦେଶର କୁଲୁରେ ପୁଣି ଭୂସ୍ଖଳନ । ଫଳରେ ଶର୍ମଣୀ ଗାଁରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ପରିବାରର ୫ ଜଣ ନିଖୋଜ ଅଛନ୍ତି । ଏନେଇ ଗ୍ରାମ ପଞ୍ଚାୟତ ପ୍ରଧାନ ଭୋଗା ରାମ ନିଶ୍ଚିତ କରିଛନ୍ତି।
ସେଠାରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଏବଂ ସତର୍କ ରହିବାକୁ ଅପିଲ୍ କରିଛି। ଦୁର୍ଘଟଣାଟି ବିଳମ୍ବିତ ରାତିରେ ଘଟିଥିଲା, ଯେତେବେଳେ ସମସ୍ତେ ନିଜ ନିଜ ଘରେ ଶୋଇଥିଲେ। ଭୂସ୍ଖଳନ ପରେ, ଅନେକ ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲେ ଯେଉଁମାନଙ୍କୁ ଉଦ୍ଧାର କରାଯାଇ ବାହାରକୁ ନିଆଯାଇଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ନିର୍ମାନ୍ଦ ହସ୍ପିଟାଲକୁ ପଠାଯାଇଛି। ହେଲେ ପାଞ୍ଚ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଅଭିଯାନ ଜାରି ରହିଛି। ପୁଲିସ ପ୍ରଶାସନ, ରାଜସ୍ୱ ବିଭାଗ, ପୂର୍ତ୍ତ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ପାଣିପାଗ ବିଭାଗ ମଙ୍ଗଳବାର ପରାହ୍ନରେ କାଙ୍ଗଡ଼ା, ଶିମଲା, ଚମ୍ବାରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି। ଏଥିସହ ଆଗାମୀ ଚାରି-ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ସମାନ ରହିବ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରଭାବିତ ହୋଇଥିବା ଚମ୍ବା-ଭରମୋର ଜାତୀୟ ରାଜପଥ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।