ନୂଆଦିଲ୍ଲୀ ୧୯/୦୧: ମହାକୁମ୍ଭରେ ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁଙ୍କ ଫଟୋ ଓ ଭିଡିଓର ଚର୍ଚ୍ଚା ହେଉଛି । ଏହି କ୍ରମରେ ମହାକୁମ୍ଭ ମେଳାକୁ ଆସିଥିବା ଜଣେ ଝିଅକୁ ନେଇ ସବୁଠି ଚର୍ଚ୍ଚା ।  ତା’ର ଶ୍ୟାମଳ ରଙ୍ଗ ଓ ଧୂସର ଆଖି ସମସ୍ତଙ୍କୁ ଆକର୍ଷିତ କରୁଛି । ତାକୁ ଦେଖିବାକୁ ଓ ତା’ ସହ ସେଲ୍‌ଫି ନେବାକୁ ଲୋକେ ଭିଡ଼ ଜମାଉଛନ୍ତି । ଝିଅର ନାଁ ମୋନାଲିସା । କୁମ୍ଭମେଳାରେ ସେ ମାଳା ବିକ୍ରି କରୁଛନ୍ତି । ତାଙ୍କ ସୌନ୍ଦର୍ଯ୍ୟରେ  ମୁଗ୍ଧ ହୋଇ ଦୁଇଗୁଣ ମୂଲ୍ୟ ଦେଇ ଲୋକେ ତାଙ୍କଠୁ ମାଳା କିଣୁଛନ୍ତି । ୧୬  ବର୍ଷୀୟା ମୋନାଲିସାଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ମୋହିତ କରିଛି । ତାଙ୍କ  ଭିଡିଓ ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି । 

ଇନ୍ଦୋର ବାସିନ୍ଦା ମୋନାଲିସା  କହିଛନ୍ତି, ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର  ଆକାଉଣ୍ଟ୍‌ ଅଛି । ଏଠାରେ  ତାଙ୍କର ବହୁ ସଂଖ୍ୟାରେ  ଫଲୋଅର୍‌ ଅଛନ୍ତି।  କିନ୍ତୁ ତାଙ୍କ ସହ  ସେଲ୍‌ଫି ନେବା  ପାଇଁ ଲୋକେ  ଭିଡ଼ ଜମାଉଥିବାରୁ  ଅନେକ ସମୟରେ  ସେ ବିରକ୍ତ ହେଉଛନ୍ତି ।  ତାଙ୍କର ଅନେକ ଭିଡିଓ  ଇଣ୍ଟର୍‌ନେଟ୍‌ରେ ଭାଇରାଲ  ହେଉଛି । ଶିବମ୍‌ ବିକାନେରୀ  ଅଫିସିଆଲ ନାମକ ଏକ ଇନ୍‌ଷ୍ଟା ହ୍ୟାଣ୍ଡେଲ୍‌  ପକ୍ଷରୁ ମୋନାଲିସାଙ୍କର କିଛି ଭିଡିଓ  ଶେୟାର କରାଯାଇଛି । ଏଥିରେ ୟୁଟୁବର୍‌  ମୋନାଲିସାଙ୍କ ସହ କଥା ହେଉଥିବା ନଜର  ଆସିଛନ୍ତି । ତାଙ୍କୁ ବିବାହ କଥା ପଚାରିଛନ୍ତି ।

 ଜବାବରେ ମୋନାଲିସା କହିଛନ୍ତି, ସେ  ଏବେ ବହୁତ ଛୋଟ ଅଛନ୍ତି । ଏତେ  ପ୍ରଶଂସକଙ୍କ ମଧ୍ୟରେ କାହାକୁ ପସନ୍ଦ  କରିଛ ବୋଲି ପଚାରିବାରୁ ମୋନାଲିସା  କହିଛନ୍ତି, ଆମ ସମ୍ପ୍ରଦାୟରେ ଏଭଳି  ହୁଏ ନାହିଁ । ଆମେ ମା’ବାପାଙ୍କ ଇଚ୍ଛା  ଅନୁସାରେ ହିଁ ବିବାହ କରୁ।